ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର, ବନ୍ଧା ହେଲେ କଣ୍ଟ୍ରାକ୍ଟର

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ୫ ଦିନ ପରେ ପ୍ରଥମ ଗିରଫଦାରୀ ହୋଇଛି। ଏହି ମାମଲାରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଆଜି ଭୋରରୁ ବାନ୍ଧିଛି ପୁଲିସ୍‌।

କୋହ୍ଲାପୁର କ୍ରାଇମବ୍ରାଞ୍ଚ ଆଜି ଭୋରରୁ ମାଲବନ ପୁଲିସ୍‌ ସହ ଜଏଣ୍ଟ ଅପରେସନ କରି ଏହି ଗିରଫଦାରୀ କରିଛି। ଏହାପରେ କୋହ୍ଲାପୁର ପୁଲିସ୍‌ ଅଭିଯୁକ୍ତଙ୍କୁ ମାଲବନ ପୁଲିସ୍‌କୁ ହସ୍ତାନ୍ତର କରିଛି।

ଏହି ଘଟଣାରେ ପୁଲିସ୍‌ ରୁଜୁ କରିଥିବା ମାମଲାରେ ଆର୍କିଟେକ୍‌ ଜଗଦୀପ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଊଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା । ଉଭୟଙ୍କ ଖାମଖିଆଲି ମନୋଭାବ ଓ କର୍ତ୍ତବ୍ୟରେ ଅବହେଳା ହେତୁ ଏପରି ଏକ ଅଘଟଣ ଘଟିଥିବା ଉଲ୍ଲେଖ କରାଯାଇଥିଲା।

ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ କରିଥିଲେ। ଉକ୍ତ ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। ହେଲେ ଏହାକୁ ବର୍ଷେ ପୂରି ନଥିବା ବେଳେ ଗତ ସୋମବାର ତାହା ଭୁଶୁଡ଼ି ପଡ଼ିଥିଲା। ଏନେଇ ମାଲଭାନ ପୁଲିସ୍‌ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା।

Comments are closed.