ଆଇଏଏସ କଳଙ୍କ: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଓ ୭୫ ହଜାର ଟଙ୍କା ଜରିମାନା ଦେବାକୁ ଦଣ୍ଡାଦେଶ କରିଛନ୍ତି ।
୧୯୮୯ ବ୍ୟାଚର ଏହି ବିବାଦୀୟ ଦୁର୍ନୀତିଗ୍ରସ୍ତ ଅଫିସର ୧୯୯୯ ମହାବାତ୍ୟା ପରେ ଗ୍ରାମାଞ୍ଜଳରେ ଗୃହନିର୍ମାଣ ପାଇଁ ଗଠିତ ଓ ଆରଏଚଡିସିର ପ୍ରଭୂତ ପରିମାଣ ପାଣ୍ଠିକୁ ବିଲଡର୍ ଓ ଅନ୍ୟାନ୍ୟ ବେସରକାରୀ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନକୁ ପ୍ରଦାନ କରି ଦୁର୍ନୀତିର ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ । ଶ୍ରୀକୁମାରଙ୍କ ଦାୟୀତ୍ୱହୀନତା ଓ ମନୋମୁଖୀତା ଫଳରେ ନିଗମର ୪୭୫ କୋଟି ଟଙ୍କା କ୍ଷତି ହୋଇଥିଲା ।
୨୦୦୬ ମସିହାରେ ଭିଜିଲାନ୍ସ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, ସରକାର ସେହିବର୍ଷ ଜୁଲାଇ ମାସରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ । ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି, ଅପରାଧ ନିରୋଧ ଶାଖା ପକ୍ଷରୁ ତାଙ୍କ ବିରୋଧରେ ୧୩ଟି ସଙ୍ଗୀନ ମାମଲା ରୁଜୁ କରାଯାଇଛି । ମାତ୍ର ଆଇଏଏସ୍ ହୋଇଥିବା ହେତୁ କୌଣସି ନା କୌଣସି ବାଟରେ ସେ ଖସି ଯାଇଛନ୍ତି । ଏପରିକି ସରକାର ତାଙ୍କର ନିଲମ୍ବିତ ପ୍ରତ୍ୟାହାର କରି ତାଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିଥିଲେ । ମାସକ ତଳେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଦେଶ ଦେଇଥିଲା, ମାତ୍ର ଧୂର୍ତ ବିନୋଦ କୁମାର ହଠାତ୍ କେଉଁଆଡେ ନିଖୋଜ ହୋଇଗଲେ । ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବେ କାମ କରୁଥିବା ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଏପରି ନିଖୋଜ ହେବା ଘଟଣାରେ ପୋଲିସ ହାତ ଟେକି ଦେଇଥିଲା ।
ଉଲ୍ଲେଖନୀୟ ଯେ, ଓଡିଶା ହାଇକୋର୍ଟ ତାଙ୍କ ଦ୍ୱାରା ଦାୟର ମାମାଲାର ବିଚାର କରି ଗତ ମାସ ୧୦ ତାରିଖରେ ଭିଜିଲାନ୍ସ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ କୁମାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

Comments are closed.