ଅତ୍ୟାଧୁନିକ ହେବ ଅଗ୍ନିଶମ ବିଭାଗ
ନୂଆଦିଲ୍ଲୀ: ମୋଟ୍ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି ଅଧୀନରେ ନିର୍ଦ୍ଧାରିତ ଆବଣ୍ଟନରୁ ଏହି ଅର୍ଥ ବିନିଯୋଗ କରାଯିବ।
ରାଜ୍ୟମାନଙ୍କୁ ସେମାନଙ୍କର ଆଇନଗତ ଓ ମୌଳିକ ଭିତ୍ତିଭୂମି ଆଧାରିତ ସଂସ୍କାର ଆଧାରରେ ପ୍ରୋତ୍ସାହିତ କରିବା ଲାଗି ମୋଟ ବ୍ୟୟବରାଦ ମଧ୍ୟରୁ ୫୦୦ କୋଟି ଟଙ୍କାର ଅର୍ଥରାଶି ରଖାଯାଇଛି । ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବ ଏବଂ ଅଗ୍ନିଶମ ସେବା ମୁଖ୍ୟମାନଙ୍କୁ ପତ୍ର ପଠାଯାଇଛି ।
୧୩ ଜୁନ୍, ୨୦୨୩ରେ ଅନୁଷ୍ଠିତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ, ଶ୍ରୀ ଅମିତ ଶାହା ଏହି ଯୋଜନାର ଘୋଷଣା କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳୀ ମାର୍ଗଦର୍ଶନରେ ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରଣାଳୀକୁ ମଜବୁତ କରିବା ସହିତ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଏବଂ ବିପର୍ଯ୍ୟୟ ସମୟରେ ‘ଶୂନ୍ୟ ମୃତ୍ୟୁ’ ଓ ଧନଜୀବନର ସର୍ବନିମ୍ନ କ୍ଷୟକ୍ଷତି ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ପ୍ରମୁଖ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି ।
Comments are closed.