ଓବାମାଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତାରମଣ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସଂଖ୍ୟାଲଘୁ ସଂପ୍ରଦାୟକୁ ନେଇ ଭାରତ ବିରୋଧରେ ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ରାଷ୍ଟ୍ରପତିତ୍ବ ଅମଳରେ ଓବାମା ୬ଟି ମୁସଲିମ ଦେଶ ଉପରେ ୨୬ ହଜାରରୁ ଅଧିକ ବୋମା ପକାଇଛନ୍ତି। ଏସବୁ ଦେଶଗୁଡ଼ିକ ମୁସଲିମ ବହୁଳ ରାଷ୍ଟ୍ର। ସେହି ଦେଶଗୁଡ଼ିକ ମଧ୍ୟରେ ସିରିୟା, ୟେମେନ, ସାଉଦି ଏବଂ ଇରାକ ଆଦି ରହିଛନ୍ତି। ତାଙ୍କ ଅମଳରେ ୭ଟି ଦେଶ ସହିତ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ଏଭଳି ବ୍ୟକ୍ତିଙ୍କ ଉକ୍ତିକୁ କିଭଳି ଲୋକମାନେ ବିଶ୍ବାସ କରିବେ ବୋଲି ନିର୍ମଳା ପ୍ରଶ୍ନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ‘ସବ୍କା ସାଥ୍, ସବ୍କା ବିକାଶ’ ନୀତିରେ କାର୍ଯ୍ୟ କରୁଛନ୍ତି।
ସରକାର କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ପାତରଅନ୍ତର କରେ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ବିରୋଧୀ ଦଳଗୁଡ଼ିକ ସେମାନଙ୍କ ନିଜସ୍ବ ଫାଇଦା ପାଇଁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବାରୁ ନିର୍ମଳା ସେମାନଙ୍କୁ ସମାଲୋଚନା କରିଛନ୍ତି। ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ବିଜେପି ସହିତ ପ୍ରତିଯୋଗିତା କରିପାରିବେ ନାହିଁ। ସେଥିପାଇଁ ସେମାନେ ଏଭଳି ଅପପ୍ରଚାର ଚଳାଇଛନ୍ତି। ଏସବୁ ସରକାରଙ୍କ ବିରୋଧରେ ସଂଗଠିତ ଅପପ୍ରଚାର। ଏହି ଅପପ୍ରଚାର ଚଳାଇବାରେ କଂଗ୍ରେସ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିଛି ବୋଲି ନିର୍ମଳା କହିଛନ୍ତି।
Comments are closed.