ଟ୍ରେନ ଟ୍ରାଜେଡି: ଭଙ୍ଗା ଯିବ ସ୍କୁଲ୍ ଘର

ବାଲେଶ୍ଵର  : ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତଦେହ ଘଟଣା ଦିନ ବାହାନଗା ସ୍କୁଲରେ ରଖାଯାଇଥିଲା। ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଓ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ପରେ ଏବେ ସେ ଦିଗରେ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ। ସ୍କୁଲ ପରିଚାଳନା କମିଟି ସ୍କୁଲ ଘରକୁ ଭାଙ୍ଗି ଦିଆଯାଉ ବୋଲି ଚାହୁଁଥିବା ବେଳେ ଜିଲ୍ଲା ପ୍ରଶାସନ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛି।

ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ଏହି ସ୍କୁଲର କିଛି ପୁରୁଣାଘରକୁ ଆମେ ଅସ୍ଥାୟୀ ଶବାଗାର ଭାବେ ବ୍ୟବହାର କରିଥିଲୁ। ତେଣୁ ପିଲାମାନଙ୍କ ମଧ୍ୟରେ ଟିକେ ଭୟ ରହିଛି ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ସେମାନେ ସ୍କୁଲ ଘରଟିକୁ ଭାଙ୍ଗିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କ କହିବା କଥା ସ୍କୁଲ ଘରଟି ପୁରୁଣା ବି ହୋଇଗଲାଣି। ଏହା ଏକ ବନ୍ୟା ଓ ବାତ୍ୟା ଅଞ୍ଚଳ ହୋଇଥିବା ବେଳେ ତା’ ଉପରେ ଆଜବେଷ୍ଟସ ପଡ଼ିଛି। ତେଣୁ ମୁଁ ସେମାନଙ୍କୁ ଅନୁରୋଧ କରିଛି ଯେ ସ୍କୁଲ ଘର ଭାଙ୍ଗିବା ପାଇଁ ଯଦି ସ୍କୁଲ ପରିଚାଳନା କମିଟି ତା’ର ଦାବିକୁ ରିଜୋଲ୍ୟୁସନ ଆକାରରେ ଆମକୁ ଦେବ, ତା’ହେଲେ ଆମେ ସରକାରଙ୍କୁ ସେସଂପର୍କରେ ଜଣାଇବୁ। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ପଦକ୍ଷେପ ଗ୍ରହଣ କରିବୁ।

Comments are closed.