ଟ୍ରେନ ଟ୍ରାଜେଡି: ସିବିଆଇ ତଦନ୍ତକୁ ନେଇ ଟିଏମସି ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ : ଓଡ଼ିଶା ରେଳ ଦୁର୍ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମ୍‌ସି ଓ ବିଜେପି। ଓଡ଼ିଶା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ସମ୍ପର୍କରେ ଘୋଷଣା କରାଯିବା ପରେ ଏହାକୁ ସହଜେ ହଜମ କରି ପାରି ନାହାନ୍ତି ମମତା ବାନାର୍ଜୀ। ଏପରିକି ଏହାଦ୍ୱାରା କିଛି ଲାଭ ମିଳିବ ନାହିଁ ବୋଲି ବି କହିଛନ୍ତି। ମମତାଙ୍କ ଏହି ବୟାନକୁ ନେଇ ତାଙ୍କୁ ଘେରିଛନ୍ତି ବିଜେପି ନେତା ତଥା ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଏହା ଅନ୍ୟ ରାଜ୍ୟର ଘଟଣା ହୋଇଥିବା ବେଳେ ମମତା ବାନାର୍ଜୀ କ’ଣ ପାଇଁ ଏତେ ଚିନ୍ତିତ । ଏଥିରେ ତାଙ୍କର କିଛି ଷଡଯନ୍ତ୍ର ଅଛି କି ? ସିବିଆଇ ତଦନ୍ତ ନାଁ ଶୁଣି କାହିଁକି ମମତା ବିଳିବିଳାଉଛନ୍ତି। ପୁଲିସ୍‌ ସହାୟତାରେ ପଶ୍ଚିମବଙ୍ଗ ସରକାର ୨ ରେଳ ଅଧିକାରୀଙ୍କ ଫୋନ୍‌ ଟ୍ୟାପ କରିଛନ୍ତି। ନଚେତ ସେମାନଙ୍କ କଥାବାର୍ତ୍ତା ବିଷୟରେ କିପରି ଜାଣିପାରିଲେ। କିପରି ଉଭୟ ରେଳ ଅଧିକାରୀଙ୍କ କଥା ଲିକ୍‌ ହେଲା ତାହା ତଦନ୍ତରୁ ସ୍ପଷ୍ଟ ହେବ । ସିବିଆଇ ତଦନ୍ତରେ ଏହି ଘଟଣା ଉପରୁ ପରଦା ନ ହଟିଲେ ମୁଁ କୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି ସେ କହିଛନ୍ତି ।

ଏପରି ସମ୍ବେଦନଶୀଳ ଘଟଣାର ରାଜନୀତିକରଣ କରିବାକୁ ଆମେ ଚାହୁଁନୁ । କିନ୍ତୁ ସିବିଆଇ ଯାଞ୍ଚ ପୂର୍ବରୁ ହିଁ ମମତା ନିଜ ନିଷ୍ପତ୍ତି ଶୁଣାଇ ଦେଉଥିବା କହିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି ପାଇଁ ଟିଏମସି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗୁଥିବା ବେଳେ ଏହାର ଜବାବ ରଖିଛନ୍ତି ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମମତା ରେଳ ମନ୍ତ୍ରୀ ଥିବା ବେଳେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ପାଇଁ କ’ଣ ଇସ୍ତଫା ଦେଇଥିଲେ।

ଗତ ଶୁକ୍ରବାର ରାତିରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ପରେ ଶନିବାର ମମତା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ବେଳେ ମୃତକଙ୍କ ସଂଖ୍ୟାକୁ ନେଇ ସେଠାରେ ଉପସ୍ଥିତ ଥିବା ରେଳ ମନ୍ତ୍ରୀଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା।

ଅପରପକ୍ଷେ, ଏହି ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଏଥିରୁ କିଛି ଫାଇଦା ମିଳିବ ନାହିଁ ବୋଲି ଗତକାଲି କୋଲକତାରେ ସାମ୍ବାଦିକଙ୍କୁ କହିଛନ୍ତି ମମତା ବାନାର୍ଜୀ।

Comments are closed.