କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧିଙ୍କ ଭାଷଣ , କଣ କହିଲେ ଜାଣନ୍ତୁ
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଇଂଲଣ୍ଡର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଭାଷଣ ଦେବା ଅବସରରେ ସାରା ବିଶ୍ବରେ ଗଣତାନ୍ତ୍ରିକ ପରିବେଶକୁ ସୁଦୃଢ଼ କରିବା ପାଇଁ ନୂଆ ଚିନ୍ତାଧାରା ଆପଣେଇବାକୁ ଆହ୍ବାନ ଦେଇଛନ୍ତି।
‘ଆର୍ଟ ଅଫ୍ ଲିସନିଂ’ (ଶୁଣିବାର କଳା) ଶୀର୍ଷକ ଉପରେ ଆଲୋଚନା କରି ରାହୁଲ କହିଲେ ଯେ ଆଜିକାଲି ଭାରତ ଓ ଆମେରିକା ପରି ଗଣତାନ୍ତ୍ରିକ ଦେଶରେ ଉତ୍ପାଦନ ହ୍ରାସ ପାଉଛି, ଅଥଚ ଚୀନ୍ରେ ବୃଦ୍ଧି ପାଉଛି। ଏହାଦ୍ବାରା ଗଣ ଅସମତା ଓ କ୍ରୋଧ ବୃଦ୍ଧି ପାଉଛି, ଯାହାର ତ୍ବରିତ ସମାଧାନ ହେବା ଆବଶ୍ୟକ ବୋଲି ରାହୁଲ କହିଥିଲେ। ସେ କହିଥିଲେ ଯେ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଅଧିକ ଉତ୍ପାଦନ ଓ ସେହି ଦେଶଗୁଡ଼ିକରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ଅଧିକ ବ୍ୟବହାର ଉପରେ ଆମେ ଗୁରୁତ୍ବ ଦେବା ଆବଶ୍ୟକ। ଏ କ୍ଷେତ୍ରରେ ଆମେ ନୂତନ ଚିନ୍ତାଧାରା ଆପଣେଇବା ଉଚିତ। ଏହାଦ୍ବାରା ଗଣତନ୍ତ୍ରର ସୁଦୃଢ଼ୀକରଣ ସମ୍ଭବ ହେବ।
ଏମ୍ବିଏ ଛାତ୍ରଛାତ୍ରୀମାନଙ୍କୁ ଭାଷଣ ଦେବା ଅବସରରେ ରାହୁଲ କହିଥିଲେ, ସମବେଦନାର ସହିତ ଏକବିଂଶ ଶତାବ୍ଦୀରେ ଦେଖାଯାଉଥିବା ସମସ୍ୟା ବିଷୟରେ ଆମେ ଶୁଣିବା ଉଚିତ। ଏହି ସମସ୍ୟାଗୁଡ଼ିକ ଭିତରୁ ଅନ୍ୟତମ ମୁଖ୍ୟ ସମସ୍ୟା ହେଉଛି ଗଣତାନ୍ତ୍ରିକ ଦେଶଗୁଡ଼ିକରୁ ଅଧିକାଂଶ ସାମଗ୍ରୀର ଉତ୍ପାଦନ ଏକଚ୍ଛତ୍ରବାଦୀ ଦେଶମୁହାଁ ହୋଇଯାଇଛି।
ରାହୁଲଙ୍କ ଭାଷଣ ତିନୋଟି ବିଭାଗ ଉପରେ ପର୍ଯ୍ୟବସିତ ଥିଲା। ସେ ପ୍ରଥମେ ତାଙ୍କର ୪୦୦୦ କିମି ଭାରତ ଯୋଡ଼ା ଯାତ୍ରା ବିଷୟରେ କହିଥିଲେ। ଦେଶରୁ ପକ୍ଷପାତ, ବେକାରି ଓ ଅସମତା ଦୂର କରିବା ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେପ୍ଟେମ୍ବର ୨୦୨୨ରୁ ଜାନୁଆରି ୨୦୨୩ ପର୍ଯ୍ୟନ୍ତ କନ୍ୟାକୁମାରୀରୁ କାଶ୍ମୀର ପଦଯାତ୍ରା କରିଥିବା କହିଥିଲେ। ଦ୍ବିତୀୟରେ ସେ କହିଥିଲେ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଓ ବିଶେଷତଃ ୧୯୯୧ରେ ସୋଭିଏତ୍ ୟୁନିୟନର ପତନ ପରେ ଆମେରିକା ଓ ଚୀନ୍ ଦୁଇଟି ବିପରୀତ ଦୃଷ୍ଟିକୋଣ ଆପଣେଇଛନ୍ତି। ସେପ୍ଟେମ୍ବର ୧୧, ୨୦୦୧ରେ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ହ୍ରାସ କରିଛି। ଚୀନ୍ ଏହାର ଫାଇଦା ନେଇଛି। ଶେଷରେ ରାହୁଲଙ୍କ ବକ୍ତବ୍ୟର ଅନ୍ତିମ ଦିଗଟି ଥିଲା ‘ଇମ୍ପରେଟିଭ୍ ଫର୍ ଏ ଗ୍ଲୋବାଲ୍ କନଭର୍ଜେନ’ ଉପରେ ଆଧାରିତ। ରାହୁଲ ଗାନ୍ଧି ଏବେ ସପ୍ତାହବ୍ୟାପୀ ଇଂଲଣ୍ଡ ଗସ୍ତରେ ଅଛନ୍ତି। କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ସେ ବିଗ୍ ଡାଟା ଓ ଗଣତନ୍ତ୍ର ଏବଂ ଭାରତ-ଚୀନ୍ ସମ୍ପର୍କ ଉପରେ ଆଉ କେତୋଟି ରୁଦ୍ଧଦ୍ବାର ଆଲୋଚନାରେ ଭାଗ ନେବେ ବୋଲି ଜଣାପଡ଼ିଛି।
Comments are closed.