ରାହୁଲ ଗାନ୍ଧିଙ୍କ ଦୁଇ ସହଯୋଗୀ ଗିରଫ

ଓ୍ବେନାର୍ଡ : ଦୁଇ ମାସ ତଳେ ରାହୁଲ ଗାନ୍ଧିଙ୍କ ନିର୍ବାଚନ କ୍ଷେତ୍ର କେରଳ ଓ୍ବେନାର୍ଡସ୍ଥିତ ଅଫିସ ଭଙ୍ଗାରୁଜା ଘଟଣାରେ ପୁଲିସ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ସେମାନେ ଅଫିସ ଭଙ୍ଗାରୁଜା କରିବା ସହ ସେଠାରେ ଲାଗିଥିବା ମହାତ୍ମା ଗାନ୍ଧିଙ୍କ ଫଟୋକୁ ଭାଙ୍ଗି ଦେଇଥିଲେ । ଆଶ୍ଚର୍ଯ୍ୟକଥା ହେଉଛି ଗିରଫ ୪ ଜଣଙ୍କ ମଧ୍ୟରୁ ରାହୁଲଙ୍କ ଅଫିସରେ କାମ କରୁଥିବା ୨ କର୍ମଚାରୀ ଅଛନ୍ତି । ଖୋଦ କଂଗ୍ରେସର କେତେକ କର୍ମୀ ଏହାକୁ ସ୍ପଷ୍ଟ କରିଛନ୍ତି ।
ଗତ ଜୁନ ୨୪ ତାରିଖରେ କେତେକ ଲୋକ ଓ୍ବେନାର୍ଡର କେଲପେଟ୍ଟାସ୍ଥିତ ରାହୁଲ ଗାନ୍ଧିଙ୍କ ଅଫିସରେ ପସି ଭଙ୍ଗାରୁଜା କରିଥିଲେ । ସେମାନେ ସିପିଆଇ ଅନୁବନ୍ଧିତ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ)ର ସଦସ୍ୟ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସେମାନେ ଅଫିସ କାନ୍ଥରେ ଝୁଲୁଥିବା ମହାତ୍ମା ଗାନ୍ଧିଙ୍କ ଫଟୋକୁ ମଧ୍ୟ ଛାଡ଼ିନଥିଲେ ।

କେରଳ ଜଙ୍ଗଲ ବଫର ଜୋନ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ନୀରବତାକୁ ବିରୋଧ କରି ଏସଏଫଆଇ ପକ୍ଷରୁ ତାଙ୍କ ଅଫିସ ଭଙ୍ଗାରୁଜା କରାଯାଇଥିଲା ।

ତେବେ ଏହା ସିପିଏମର ଚକ୍ରାନ୍ତ ବୋଲି ସେତେବେଳେ ଯୁବ କଂଗ୍ରେସ ଅଭିଯୋଗ କରିଥିଲା । ରାଜ୍ୟରେ ସୁନା ସ୍ମଗଲିଂ ମାମଲାରୁ ଲୋକମାନଙ୍କ ଦୃଷ୍ଟି ଦୂରେଇ ନେବାକୁ ସିପିଏମ ପକ୍ଷରୁ ଏପରି କାଣ୍ଡ କରାଯାଇଛି ବୋଲି କଂଗ୍ରେସ ନେତା ଭେନୁଗୋପାଳ ସେତେବେଳେ ଅଭିଯୋଗ କରିଥିଲେ ।

Comments are closed.