ବାଦ ପଡ଼ିଲେ ଜୁଏଲ ଓରାମ

ନୂଆଦିଲ୍ଲୀ : ୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ବିଜେପି ପୁଣି ଅଭିଯାନ ଆରମ୍ଭ କରିଛି। ଦଳକୁ ଆଗକୁ ନେବାକୁ ନିକଟରେ ଖୋଦ୍ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରଣନୀତି ପ୍ରସ୍ତୁତ କରିବା ସହିତ ନେତାଙ୍କ କାନରେ ମନ୍ତ୍ର ଫୁଙ୍କି ଯାଇଛନ୍ତି। ଠିକ୍‌ ଏହି ସମୟରେ ଦଳର ଆଗ ଧାଡ଼ିର ବରିଷ୍ଠ ଆଦିବାସୀ ନେତା ତଥା ସାଂସଦ ଜୁଏଲ ଓରାମଙ୍କୁ ଗତକାଲି ଘୋଷଣା କରାଯାଇଥିବା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ରୁ ବାଦ୍‌ ଦିଆଯାଇଛି। ଏହି ଖବର ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ଖୋରାକ୍ ଯୋଗାଇଛି।
ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ରୂପେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ବିଜେପି ଆଦିବାସୀ କାର୍ଡର ଭରପୂର ଉପଯୋଗ କରି ୨୦୨୪ ନିର୍ବାଚନରେ ଉତ୍ତମ ପ୍ରଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବାବେଳେ କେନ୍ଦ୍ରୀୟ ନିର୍ବାଚନ କମିଟିରେ ପୁଣି ଥରେ ଜୁଏଲଙ୍କୁ ସୁଯୋଗ ଦିଆନଯାଇ ପକ୍ଷ ଛେଦନ କରାଯିବା ଘଟଣାକୁ କେହି ସହଜରେ ଗ୍ରହଣ କରୁନାହାନ୍ତି। ଜୁଏଲ ୨୦୧୨ ରୁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ସଦସ୍ୟ ଥିଲେ। ସଦ୍ୟ ଗଠିତ ୧୫ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟିରେ ତାଙ୍କୁ ସ୍ଥାନ ମିଳିନି। ୧୦ ବର୍ଷ ଧରି ସିଇସି ସଦସ୍ୟ ଭାବେ ଜୁଏଲଙ୍କ ପ୍ରମୁଖ ଭୂମିକା ଥିଲା। ତାଙ୍କ ପରାମର୍ଶକୁ ପାର୍ଟି ଗ୍ରହଣ କରୁଥିଲା।

୧୯୮୯ରେ ବିଜେପିରେ ଯୋଗ ଦେବା ପରେ ଜୁଏଲ ନିଜକୁ ଜଣେ ଦକ୍ଷ ଆଦିବାସୀ ନେତା ଭାବେ ପ୍ରତିପାଦିତ କରିଆସିଥିଲେ। ପଞ୍ଚମ ଥର ପାଇଁ ସେ ଲୋକସଭାକୁ ପ୍ରତିନିଧିତ୍ବ କରୁଛନ୍ତି। ଏହା ସହିତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ୨୦୦୬ ରୁ ୨୦୦୯ ଓ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେ ଦେଶର ପ୍ରଥମ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ନରେନ୍ଦ୍ର ମୋଦୀ ସରକ‌ାରଙ୍କ ପ୍ରଥମ ପାଳିରେ ସେ ପୁଣିଥରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ୫ ବର୍ଷ କାର୍ଯ୍ୟ କରିଥିଲେ। ହେଲେ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ଜୁଏଲଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନଥିଲା। ଅନ୍ୟ ପଟେ ପ୍ରତିରକ୍ଷା ମନ୍ତ୍ରାଳୟ ସଂପର୍କିତ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। କମିଟିର ଅଧ୍ୟକ୍ଷ ଭାବେ ସେ ସଂସଦରେ ୩୦ଟି ରିପୋର୍ଟ ଦାଖଲ କରିସାରିଛନ୍ତି ଏବଂ ତାଙ୍କର ପ୍ରଦର୍ଶନ ସନ୍ତୋଷଜନକ ରହିଛି।

Comments are closed.