ବିଜେପିକୁ କଟାକ୍ଷ କଲେ ଏନସିପି ନେତା
ମୁମ୍ବାଇ: ବିଜେପିର ଶୀର୍ଷ ନେତାଙ୍କ ମଧ୍ୟରୁ ଅନ୍ୟତମ ନୀତିନ ଗଡକରୀଙ୍କୁ ପାର୍ଟିର ନିର୍ଣ୍ଣାୟକ ସଂସ୍ଥା ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି। ଏହାକୁ ନେଇ ବିଜେପିକୁ ତାର୍ତ୍ସଲ୍ୟ କରିଛି ଏନସିପି। ଶରଦ ପାଓ୍ଵାରଙ୍କ ପାର୍ଟି କହିଛନ୍ତି, ନୀତିନ ଗଡକରୀଙ୍କ ପତିଆରା ଲଗାତାର ବଢି ଚାଲିଥିଲା ଏବଂ ସେ ଜଣେ ଚତୁର ରାଜନେତା ଭାବେ ପରିଚିତ। ଏଥିପାଇଁ ପାର୍ଟିର ସଂସଦୀୟ ବୋର୍ଡରୁ ତାଙ୍କୁ ବାହାର କରାଯାଇଛି। ଏନସିପି ମୁଖପାତ୍ର କ୍ଲାଇଡେ କ୍ରାଷ୍ଟୋ କହିଛନ୍ତି, ଯେବେ ଆପଣଙ୍କ ତାକତ ଏବଂ କ୍ଷମତା ବଢିଥାଏ ଏବଂ ଆପଣ ଉଚ୍ଚରେ ବସିଥିବା ଲୋକଙ୍କୁ ଚ୍ୟାଲେଞ୍ଜ କରନ୍ତି ତେବେ ବିଜେପି ଆପଣଙ୍କ କ୍ଷମତା କମାଇ ଦେଇଥାଏ ଆଉ ଦାଗୀମାନଙ୍କୁ ପଦୋନ୍ନତି ଦେଇଥାଏ।
ଏନସିପି ମୁଖପାତ୍ର କହିଛନ୍ତି, ନୀତିନ ଗଡକରୀଙ୍କୁ ବିଜେପି ସଂସଦୀୟ ବୋର୍ଡରୁ ହଟାଇ ଦେଇଛି। ଏହା ଦର୍ଶାଉଛି ଯେ, ଗଡକରୀଙ୍କ ଦକ୍ଷତା ଏବଂ କ୍ଷମତା କିଛି ଲୋକଙ୍କୁ ହଇରାଣ କରୁଥିଲା। ନୀତିନ ଗଡକରୀ ଖୋଲାଖୋଲି କଥା କହୁଥିବା ଲୋକଙ୍କ ମଧ୍ୟରେ ଥିଲେ। ପାର୍ଟି ଏବଂ ଅନ୍ୟ ପ୍ରସଙ୍ଗ ଉପରେ ସେ ସ୍ପଷ୍ଟ ଭାବେ ନିଜର ଆଭିମୁଖ୍ୟ ରଖୁଥିଲେ। ତେଣୁ ଜାଣିଶୁଣି ନୀତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ବହିଷ୍କାର କରାଯାଇଛି। ହେଲେ ମହାରାଷ୍ଟ୍ରର ବରିଷ୍ଠ ନେତା ଦେବେନ୍ଦ୍ର ଫଡଣବିସଙ୍କ ପଦୋନ୍ନତି ଦେଇ ତାଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟିରେ ସାମିଲ୍ କରାଯାଇଛି। ହେଲେ ତାଙ୍କୁ ସଂସଦୀୟ ବୋର୍ଡରେ ସ୍ଥାନ ମିଳିନି।
ନୀତିନ ଗଡକରୀଙ୍କ ବ୍ୟତୀତ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ବିଜେପି ସଂସଦୀୟ ବୋର୍ଡରୁ ହଟାଇଛି। ଏହା ବ୍ୟତୀତ ଶାହାନଓ୍ଵାଜ ହୁସେନଙ୍କୁ ମଧ୍ୟ ବାହାର କରାଯାଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ଏକ କାର୍ୟ୍ୟକ୍ରମରେ ନୀତିନ ଗଡକରୀ କହିଥିଲେ ଯେ, ଆଜିର ସମୟରେ ରାଜନୀତି କେବଳ କ୍ଷମତାରେ ରହିବା ପାଇଁ କରାଯାଉଛି। ବେଳେ ବେଳେ ଏମିତି ଲାଗୁଛି ରାଜନୀତି ଛାଡି ଦେବି।
Comments are closed.