ମୋଦୀଙ୍କ ପ୍ରଶଂସାରେ ଧର୍ମେନ୍ଦ୍ର
ଭୁବନେଶ୍ୱର: କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସମ୍ପାଦକୀୟ ‘ଏ ମାଟିର କନ୍ୟା’ ଲେଖି ବହୁତ ପ୍ରଶଂସା ସାଉଁଟିଥିବା ବେଳେ ଆଜି ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ପାଦକୀୟ ପ୍ରକାଶ କରିଛନ୍ତି ।ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ମୋଦୀଙ୍କ ନେତୃତ୍ୱ ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ସେ ଲେଖିଛନ୍ତି ମୋଦୀଙ୍କ ନେତୃତ୍ୱ ଓଡିଶା ପାଇଁ ସକରାତ୍ମକ ଦୃଷ୍ଟିଭଙ୍ଗୀ ।
ଧର୍ମେନ୍ଦ୍ର ଲେଖିଛନ୍ତି ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରି ଓଡିଶା ଅସ୍ମିମତାର ପ୍ରତୀକ ପାଲଟି ଯାଇଛନ୍ତି । ସେ ପ୍ରଥମ ଆଦିବାସୀ ମହିଳା ଯେ ଭାରତର ସବୋର୍ଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରିଛନ୍ତି । ଏହା କେବଳ ଓଡିଶାବାସୀଙ୍କ ପାଇଁ ଗର୍ବ କିମ୍ବା ଗୌରବ ନୁହେଁ ବରଂ ଭାରତର ବଞ୍ଚିତ , ଦଳିତ ପଛୁଆବର୍ଗଙ୍କ ପାଇଁ ଗାରିମାର କଥା । ଏହା ସହିତ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ମର୍ଯ୍ୟାଦା ହାସଲ କରିବା ପଛରେ ପ୍ରଧାନମନ୍ତ୍ରୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି ।
ବନଫୁଲର ମହକରେ ସାରା ଭାରତକୁ ମହକିତ କରିବା କଥା କେବଳ ମୋଦୀ ହିଁ ଭାବିପାରନ୍ତି ବୋଲି ପ୍ରଧାନ ପ୍ରକାଶ କରିଛନ୍ତି । ବଣମଲ୍ଲୀ ବଣରେ ଫୁଟି ମଉଳି ଯାଏ କିନ୍ତୁ ଏହି ବଣମଲ୍ଲୀକୁ ଖୋଜିବା ତାକୁ ସମାଜ ଆଗରେ ଚିହ୍ନଟ କରିବା ହେଉଛି ସବୁ ଠାରୁ ବଡ ଆହ୍ୱାନ ।ଏହା ସହିତ ଓଡିଶାର ସଂସ୍କୃତି ଠାରୁ ଆରମ୍ଭ କରି ଏହାର ପରମ୍ପରା ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅପ୍ରମିତ ଶ୍ରଦ୍ଧା ରହିଛି ଯାହା ପାଇଁ ସେ ଓଡିଆମାନଙ୍କର ପ୍ରତ୍ୟେକ ପର୍ବ ପର୍ବାଣୀରେ ଓଡିଆ ମାନଙ୍କୁ ଶୁଭେଚ୍ଚା ଜଣାଇଥାଆନ୍ତି ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି । ମୋଦୀଙ୍କ ନେତୃତ୍ୱରେ ଜୁଏଲ ଓରାମଙ୍କ ଠାରୁ ଆରମ୍ଭ କରି ଅଶ୍ୱିନୀ ବୈଷ୍ଣବଙ୍କ ପର୍ଯ୍ୟନ୍ତ ଅନେକ ନେତା କ୍ୟାବିନେଟ ମନ୍ତ୍ରୀ ହୋଇ ପାରିଛନ୍ତି ବୋଲି ଏଥିରେ ପ୍ରକାଶ କରାଯାଇଛି ।
Comments are closed.