ବିବାଦରେ କଂଗ୍ରେସ ସାଂସଦ ଅଧିରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ପୁଣି ବିବାଦ ଘେରରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ଫସିଛନ୍ତି ଅଧିର ରଞ୍ଜନ । ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରି ସେ ଝଡ଼ ସୃଷ୍ଟି କରିଛନ୍ତି। ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଉତ୍ତର ରଖିଛନ୍ତି। ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ସୋନିଆ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ସୋନିଆ ଗାନ୍ଧି କହିଛନ୍ତି, ଅଧିର ରଞ୍ଜନ ଚୌଧୁରୀ ଏ ବିଷୟରେ କ୍ଷମା ମାଗିସାରିଛନ୍ତି।

ଏହି ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ଶାସକ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା। ଫଳରେ ଲୋକସଭାକୁ ସ୍ଥଗିତ ରଖାଯାଇଛି। ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଥିଲେ ଯେ, ଏଭଳି ମନ୍ତବ୍ୟ କଂଗ୍ରେସ ପକ୍ଷରୁ ଜାଣିଶୁଣି ଦିଆଯାଇଛି। ଏହା ଲିଙ୍ଗଗତ ଭେଦଭାବକୁ ଦର୍ଶାଉଛି । ଦେଶରେ ଜଣେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ସମଗ୍ର ଦେଶ ଉତ୍ସବ ପାଳୁଛି। ହେଲେ ଅଧିର ରଞ୍ଜନ ଦେଇଛନ୍ତି ଦୁର୍ଭାଗ୍ୟଜନକ ବୟାନ।

Comments are closed.