ଗୃହରୁ ୧୯ସାଂସଦଙ୍କୁ ନିଲମ୍ବିତ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା। ଦରଦାମ ବୃଦ୍ଧି, ଜିଏସ୍ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଆଜି ବି କିଛି ସାଂସଦ ଆଲୋଚନା ଚାଲିଥିବା ବେଳେ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେବା ସହ ହୋହାଲ୍ଲା କରୁଥିଲେ। ଏଥିଯୋଗୁ ରାଜ୍ୟସଭାର ୧୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।
ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ତ୍ରୁଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ୍, ଡୋଲା ସେନ୍, ମୂରଲିଧରନ୍, ଅବିର ବିଶ୍ୱାସ, ମୌସମ ନୁର୍, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲ୍ଲା, କାନିମୋଝି, ଏଲ୍ ଯାଦବ, ଭି.ଶିବଦସନ୍ ସମେତ ଅନ୍ୟାନ୍ୟ ସାଂସଦ ଅଛନ୍ତି। ଏମାନଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରିଛନ୍ତି ଉପ-ବାଚସ୍ପତି।
ଉଲ୍ଲେଖନୀୟ କଥା ହେଉଛି, ଲୋକସଭାରେ ହଙ୍ଗାମା କରିବାକୁ ନେଇ ସମଗ୍ର ଅଧିବେଶନ ପାଇଁ ବାଚସ୍ପତି ଓମ ବିର୍ଲା କଂଗ୍ରେସର ଚାରି ଜଣ ସଦସ୍ୟଙ୍କୁ ନିଲମ୍ବନ କରିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।
ଲୋକସଭାରେ ହୋହଲ୍ଲା କରିବା ଓ ସଂସଦ କାର୍ଯ୍ୟରେ ବାଧା ପହଞ୍ଚାଇବା ଅଭିଯୋଗରେ କଂଗ୍ରେସ ସାଂସଦ ଜ୍ୟୋତିମଣି, ମାଣିକମ୍ ଟାଗୋର, ଟିଏନ୍ ପ୍ରଥାପନ୍ ଏବଂ ରାମ୍ୟା ହରିଦାସଙ୍କୁ ସୋମବାର ନିଲମ୍ବିତ କରାଯାଇଥିଲା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଲଗାତର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିରୋଧୀ ଦଳ। ଏଥିପାଇଁ ସଂସଦର ମୌସୁମୀ ଅଧିବେଶନ ଠିକ୍ ଭାବେ ଚାଲି ପାରୁନଥିବା ସରକାର ତରଫରୁ ଅଭିଯୋଗ ହୋଇଛି। ସେପଟେ କିନ୍ତୁ ବିରୋଧୀ ଏହାକୁ ଖଣ୍ଡନ କରିଛନ୍ତି। ବିରୋଧୀ ଦଳ କହୁଛନ୍ତି, ସରକାର ଏହି ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ରହିବାକୁ ଷଡଯନ୍ତ୍ର କରୁଛନ୍ତି।
Comments are closed.