ତିନି ରାଜ୍ୟରେ ଖାତାଖୋଲି ପାରିଲେନି ସିହ୍ନା
ନୂଆଦିଲ୍ଲୀ: ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ହରାଇ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହୋଇ ଇତିହାସ ରଚିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ସାଂସଦ ଏବଂ ବିଧାୟକଙ୍କ ୬୪ ପ୍ରତିଶତରୁ ଅଧିକ ଭୋଟ୍ ମିଳିଛି। ଏମିତି ତିନୋଟି ରାଜ୍ୟ ରହିଛି, ଯେଉଁଠି ସେ କ୍ଲିନ ସୁଇପ୍ କରିଛନ୍ତି। ଆନ୍ଧ୍ର ପ୍ରଦେଶ, ନାଗାଲାଣ୍ଡ ଏବଂ ସିକ୍କିମରେ ତାଙ୍କୁ ଶତ ପ୍ରତିଶତ ଭୋଟ୍ ମିଳିଛି। ମୁର୍ମୁଙ୍କୁ ଆନ୍ଧ୍ର ପ୍ରଦେଶରେ ଏତେ ଭୋଟ୍ ମିଳିବା ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଉକ୍ତ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ।
ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ମେଘାଳୟରେ ମଧ୍ୟ ମୁର୍ମୁଙ୍କୁ ବହୁ ମାତ୍ରାରେ ଭୋଟ୍ ମିଳିଛି। ଏନଡିଏ ପ୍ରାର୍ଥୀଙ୍କୁ ଅରୁଣାଚଳରେ ୯୩.୨ ପ୍ରତିଶତ, ମଣିପୁରରେ ୯୦ ପ୍ରତିଶତ ଏବଂ ମେଘାଳୟରେ ୮୫.୫ ପ୍ରତିଶତ ଭୋଟ୍ ମିଳିଛି। ମିଜୋରାମରେ ୭୨.୫ ପ୍ରତିଶତ ଏବଂ ତ୍ରିପୁରାରେ ୬୯.୫ ପ୍ରତିଶତ ଭୋଟ୍ ମୁର୍ମୁଙ୍କୁ ମିଳିଛି।
ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନା ମଧ୍ୟ କିଛି ରାଜ୍ୟରେ ଦମଦାର ପ୍ରଦର୍ଶନ କରିଛନ୍ତି। ତାଙ୍କୁ କେରଳରେ ୯୯.୩ ପ୍ରତିଶତ ଏବଂ ତେଲଙ୍ଗାନାରେ ୯୭.୪ ପ୍ରତିଶତ ଭୋଟ୍ ମିଳିଛି। ସିହ୍ନା ଅନ୍ୟ ଯେଉଁ ଛଅ ରାଜ୍ୟରେ ମୁର୍ମୁଙ୍କଠୁ ଅଧିକ ଭୋଟ୍ ହାସଲ କରିଛନ୍ତି, ସେଥିରେ ଛତିଶଗଡ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ସାମିଲ୍। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ମୋଟ୍ ୬,୭୬, ୮୦୩ ମତ୍ ମିଳିଥିବା ବେଳେ ସିହ୍ନାଙ୍କୁ ମିଳିଛି ୩,୮୦,୧୭୭।
Comments are closed.