ଅମିଷା ପଟେଲ୍ ଆଇନ ଜାଲରେ ଛନ୍ଦି ହୋଇଛନ୍ତି

ବଲିଉଡ ଅଭିନେତ୍ରୀ ଅମିଷା ପଟେଲ୍ ପୁଣି ଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅମିଷାଙ୍କ ପିଛା ଛାଡୁନି ସମସ୍ୟା। ଅଭିନେତ୍ରୀଙ୍କ ବିରୋଧରେ ମୁରାଦାବାଦର ଏସଜିଏମ କୋର୍ଟ ଓ୍ଵାରେଣ୍ଟ ଜାରି କରିଛନ୍ତି। ତାଙ୍କୁ ଦିଆଯାଇଥିବା ତାରିଖରେ ହାଜର ନହେବାରୁ କୋର୍ଟ ଅମିଷାଙ୍କ ବିରୋଧରେ ଏହି ଓ୍ଵାରେଣ୍ଟ ଜାରି କରିଛନ୍ତି। ଏବେ ଅମିଷାଙ୍କୁ ଅଗଷ୍ଟ ୨୦ରେ ହାଜର ହେବାକୁ କୁହାଯାଇଛି। ମୁରାଦାବାଦର ଏକ ଇଭେଣ୍ଟ କମ୍ପାନୀ ଅମିଷା ପଟେଲ୍ ଏବଂ ସହଯୋଗୀଙ୍କ ଉପରେ ୧୧ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମକୁ ନଆସିବାର ଅଭିଯୋଗ କରିଛନ୍ତି।

ତେବେ ଏନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅମିଷା। ନିଜର ହଟ୍‌ ଅନ୍ଦାଜ ନୁହେଁ ବରଂ ଠକିବା ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି। ପବନ ବର୍ମା ନାମକ ବ୍ୟକ୍ତି ଡ୍ରିମ ଭିଜନ ନାମରେ ମୁରାଦାବାଦରେ ଏକ ଇଭେଣ୍ଟ କମ୍ପାନୀ ଚଳାଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅମିଷାଙ୍କୁ ୨୦୧୭ ନଭେମ୍ବର ୧୬ରେ ଏକ ବିବାହ ସମାରୋହରେ ଡ୍ୟାନ୍ସ କରିବାର ଥିଲା। ଏଥିପାଇଁ ସେ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ନେଇଥିଲେ। ଅଭିନେତ୍ରୀ ଦିଲ୍ଲୀ ପର୍ଯ୍ୟନ୍ତ ଆସିଲେ। ପୁଣି ଦିଲ୍ଲୀରୁ ମୁରାଦାବାଦ ଅଧିକ ଦୂର କହି ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ। ଇଭେଣ୍ଟ କମ୍ପାନୀ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅମିଷା କିଛି ନଜଣାଇ ଫେରି ଯାଇଥିଲେ।

ଇଭେଣ୍ଟ କମ୍ପାନୀ ଅଭିଯୋଗ କରିଛନ୍ତି ଯେ, ଅମିଷା ଏ ପର୍ଯ୍ୟନ୍ତ ଅଗ୍ରୀମ ବାବଦରେ ନେଇଥିବା ୧୧ ଲକ୍ଷ ଟଙ୍କା ବି ଫେରାଇ ନାହାନ୍ତି। ଡ୍ରିମ ଭିଜନ କମ୍ପାନୀର ମାଲିକ ପବନ ବର୍ମା ଙ୍କ ପକ୍ଷରୁ ଅଦାଲତରେ ଅମିଷା ପଟେଲ୍ ଏବଂ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ଉପରେ ଶୁଣାଣି କରି କୋର୍ଟ ୨୦୨୨ ଅଗଷ୍ଟ ୨୦ରେ ହାଜର ହେବା ପାଇଁ ଅମିଷାଙ୍କ ସହିତ ୪ ଜଣଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛନ୍ତି। ଅଭିଯୋଗମାନେ ହେଉଛନ୍ତି, ଅମିଷା ପଟେଲ୍, ସୁରେଶ କୁମାର, ରାଜକୁମାର ଗୋସ୍ଵାମୀ, ଅହମ୍ମଦ ଶରିଫ।

ତେବେ ଏହି ମାମଲା ୫ ବର୍ଷ ତଳର ରହିଛି। କିନ୍ତୁ ଏହି ମାମଲାର ଶୁଣାଣି ଏବେ ହେଉଛି। ୨୦୧୭ରେ ପବନ ବର୍ମା ଅମିଷାଙ୍କ ବିରୋଧରେ କେସ୍‌ କରିଥିଲେ। ଏହି ମାମଲାକୁ ନେଇ ମୁରାଦାବାଦରେ କେସ୍‌ ଚାଲିଥିଲା। ଅମିଷା ପଟେଲ୍ଙ୍କ ଉପରେ ମୁରାଦାବାଦର ଅଦାଲତରେ ଧାରା ୧୨୦ ବି, ୪୦୬, ୫୦୪, ୪୨୦ ଏବଂ ୫୦୬ ଆଇପିସି ଆଧାରରେ ଶୁଣାଣି କରାଯାଇଛି। ଯଦି ଓ୍ଵାରେଣ୍ଟ ପରେ ଅମିଷା କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଜାମନି ନାମଞ୍ଜୁର ଓ୍ଵାରେଣ୍ଟ ମଧ୍ୟ ଜାରି ହୋଇପାରେ।

Comments are closed.