ମୁଢ଼ି ଉପରେ ଲାଗିବନି GST,ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଚୁଡ଼ା ଓ ମୁଢ଼ି ଭଳି ଖାଦ୍ୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସ୍ଟି ଲଗାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିବାଦ ମଧ୍ୟରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି କେଉଁ ସବୁ ଖାଦ୍ୟ ସାମଗ୍ରୀକୁ ଜିଏସ୍ଟି ବାହାରେ ରଖାଯାଇଛି, ତା’ରା ତାଲିକା ଦେଇଛନ୍ତି। ଖୋଲାରେ ବା ବିନା ପ୍ୟାକିଂରେ ବିକ୍ରି ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଉପରେ କୌଣସି ପ୍ରକାରର ଜିଏସଟି ଆଦାୟ ହେବନି। ଏହା ମଧ୍ୟରେ ମୁଢ଼ି ମଧ୍ୟ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ବିନ୍ୟା ପ୍ୟାକିଂ ବା ବିନା ଲେଭଲିଂରେ ବିକ୍ରି ହେଉଥିବା ଡାଲି, ଗହମ, ବାଜରା, ଓଟସ, ମକା, ଚାଉଳ, ମିଇଦା, ଅଟା, ସୁଜି, ବେସନ, ମୁଢ଼ି, ଖୋଲା ଦହି ଓ ଖୋଲା ଲସି ଉପରେ କୌଣସି ପ୍ରକାରର ଜିଏସଟି ଲାଗିବ ନାହିଁ। ତେବେ ଏହି ସବୁ ଖାଦ୍ୟ ସାମଗ୍ରୀ ପ୍ୟାକିଂ ହୋଇ ବିକ୍ରି ହେଲେ, ତା’ ଉପରେ ୫%ର ଜିଏସ୍ଟି ଲାଗୁ କରାଯିବ ବୋଲି ସେ କହିଛନ୍ତି।
ସେହିପରି ସେ ଆହୁରି କହିଛନ୍ତି, ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବାର ନିଷ୍ପତ୍ତି କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ। ଜିଏସଟି ପରିଷଦରେ ଥିବା ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଏସଟି ପରିଷଦରେ ଅଣ-ବିଜେପି ଶାସିତ ରାଜ୍ୟ ପଞ୍ଜାବ, ଛତିଶଗଡ, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳ ମଧ୍ୟ ରହିଛନ୍ତି। ସେମାନେ ମଧ୍ୟ ଖାଦ୍ୟ ସାମଗ୍ରୀ ଉପରେ ୫% ଜିଏସଟି ଲାଗିବା ପ୍ରସ୍ତାବରେ ଏକମତ ହୋଇଥିବା ସୀତାରମଣ କହିଛନ୍ତି।
ଗୋଟିଏ ପରେ ଗୋଟିଏ ଏପରି ୧୪ଟି ଟ୍ୱିଟ କରି ଅର୍ଥମନ୍ତ୍ରୀ କହିଛନ୍ତି, ଟିକସ ଲିକକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ଅତ୍ୟନ୍ତ ଜରୁରୀ ଥିଲା। ଏହି ନିଷ୍ପତ୍ତିକୁ ବିଭିନ୍ନ ସ୍ତରରେ ଅଧିକାରୀ ଓ ମନ୍ତ୍ରୀମାନେ ମିଳିତ ଭାବେ ବିଚାର କରିଥିଲେ। ଶେଷରେ ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସମ୍ମତି ସହିତ ଏହାକୁ ଜିଏସଟି ପରିଷଦ ଅନୁମୋଦନ କରିଛି।
ଏହି ନିଷ୍ପତ୍ତି ଜିଏସଟି ପରିଷଦର ଯେଉଁ ଗ୍ରୁପ ଅଫ ମନିଷ୍ଟର୍ସ ନେଇଛନ୍ତି ସେଥିରେ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ଉତ୍ତରପ୍ରଦେଶ, ଗୋଆ ଓ ବିହାରର ସଦସ୍ୟମାନେ ଥିଲେ। ଏହାର ଅଧ୍ୟକ୍ଷତା କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ କରୁଥିଲେ। ନିକଟରେ ଅନୁଷ୍ଠିତ ଜିଏସଟି ପରିଷଦର ୪୭ତମ ବୈଠକରେ ଡାଲି, ଖାଦ୍ୟ ଶସ୍ୟ ଓ ଅଟା ଉପରେ ବିଶେଷ ପରିସ୍ଥିତିରେ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହାକୁ ନେଇ ବିଭିନ୍ନ ପ୍ରକାରର ଭୁଲ ତଥ୍ୟ ପ୍ରଚାର କରାଯାଉଥିଲା। ତେଣୁ ଆଜି ଏହି ତାଲିକାକୁ ଜାରି କରାଯାଉଥିବା ସେ କହିଛନ୍ତି।
Comments are closed.