ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଶୈବ ପୀଠରେ ଚଳଚଞ୍ଚଳ
ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭକ୍ତ ଆଉ ଭଗବାନଙ୍କର ହେବ ଏଥରକ ପୁଣିଥର ମହା ମିଳନ । ଏଥିପାଇଁ କାଉଡିଆ ମାନେ ପାଣି ଲାଗି ପାଇଁ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି ଶ୍ରଦ୍ଧାଳୁ ଯାଉଛନ୍ତି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ବୋଲ ବମ ଯାତ୍ରା ବନ୍ଦ ଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ନୁଆ ବାହୁଙ୍ଗୀ, ଗଡଗଡିଆ ମାଳୀ, ରୁଦ୍ରାକ୍ଷ ମାଳି, ବୋଲ୍ ବମ ପୋଷାକ ନେବା ନିମନ୍ତେ ବିଭିନ୍ନ ଦୋକାନରେ ଭିଡ଼ ଜମିଛି। । ଦୀର୍ଘ ଦୁଇ ବର୍ଷ ପରେ ଦୋକାନ ଖୋଲିଥିବାରୁ ଦୋକାନୀ ମଧ୍ୟ ଖୁସି ଅଛନ୍ତି ।
ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳାଭିଶେଖ ନିମନ୍ତେ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆଙ୍କ ଭିଡ ଲାଗିବ । ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୃଙ୍ଖଳିତ ଜଳାଭିଷେକ ପାଇଁ ଏବେଠୁ ବ୍ୟାରିକେଡ୍ ବନ୍ଧା ଆରମ୍ଭ ହୋଇଛି। କରୋନା କଟକଣା ଦୃଷ୍ଟିରୁ କାଉଡ଼ିଆମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ଭକ୍ତ ଓ ସେବାୟତମାନେ ମାସ୍କ ପିନ୍ଧି ମନ୍ଦିରକୁ ଯିବେ। କାଉଡ଼ିଆମାନେ ସାମାଜିକ ଦୂରତା ରକ୍ଷା କରିବେ। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ଶ୍ରାବଣୀ ଜଳ ଢାଳିବେ। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍ ୩ଟାରୁ ଖୋଲାଯିବ। ଭୋର୍ ସାଢ଼େ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣମେଳା ଦର୍ଶନ ଆରମ୍ଭ ହେବ।
Comments are closed.