ଆଜି ଅଧରପଣା

ବହୁ ପୂର୍ବରୁ ବାହୁଡ଼ା ଯାତ୍ରା ପରେ ତିନିଠାକୁରଙ୍କ ନିକଟରେ ୧୨ ହାଣ୍ଡି ଅଧରପଣା ଲାଗୁଥିଲା । ଦଶମୀ ଦିନ ୩ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଏବଂ ଦ୍ୱାଦଶୀ ଦିନ ତିନି ହାଣ୍ଡିରେ ମହାବାହୁଙ୍କ ନିକଟରେ ଅଧରପଣା ଲାଗି ହେଉଥିଲା । ସେହିପରି ବଳଭଦ୍ରଙ୍କ ରଥରେ ରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୁଇ ହାଣ୍ଡି, ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମନ୍ତେ ଗୋଟିଏ ହାଣ୍ଡିରେ ଅଧର ପଣା ଲାଗି ହୋଇ ସର୍ବମୋଟ ୧୨ହାଣ୍ଡି ଅଧରପଣା ଲାଗି ହେଉଥିଲା । କିନ୍ତୁ ବର୍ତ୍ତମାନ କେବଳ ଦ୍ୱାଦଶୀ ଦିନ ୯ହାଣ୍ଡି ଅଧରପଣା ଭୋଗ ଠାକୁରମାନଙ୍କ ନିକଟରେ ଲାଗି ହେଉଛି ।
ଆଷାଢ ମାସ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଶ୍ରଜୀଉମାନଙ୍କ ପାଇଁ ଅଧରପଣା ପ୍ରସ୍ତୁତି ନୀତି ଆରମ୍ଭ ହୋଇଥାଏ । ଅଧରପଣା ପାଇଁ ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ସହ ଅନ୍ୟ ସାମଗ୍ରୀକୁ ପାଳିଆ ମହାସୁଆର ରଥ ଉପରେ ଠାକୁରଙ୍କ ଉଦ୍ଦେଶ୍ୟରେ ରଖିଥାନ୍ତି । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ଭୋଗ ଲାଗି ହେଉଥିବା ସ୍ଥାନରେ ଶ୍ରୀଜିଉମାନଙ୍କ ଶ୍ରୀ ଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । ଏହି ହାଣ୍ଡି ଗୁଡ଼ିକ ସମାନ ମାପର ହୋଇନଥାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ଶ୍ରୀମନ୍ଦିରର ଛାଉଣୀ ମଠ ସମ୍ମୁଖରେ ଥିବା କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାମାନଙ୍କରେ ରଖିଥାନ୍ତି ।

Comments are closed.