ଧଳା ଜହର ପଛରେ ଯୁବକଯୁବତୀ

କଟକ: ଓଡ଼ିଶାରେ ବର୍ଷକୁ ଧଳା ଜହର (ବ୍ରାଉନସୁଗାର) କାରବାର ପରିମାଣ ୭ଶହ କୋଟି ଟଙ୍କାକୁ ଟପି ଗଲାଣି। ରାଜ୍ୟରେ ୧ ଲକ୍ଷରୁ ଅଧିକ ଯୁବକଯୁବତୀ ଏହି ନିଶା କବଳରେ କବଳିତ ହୋଇ ସାରିଲେଣି। ହୋସ୍ ଉଡ଼ାଇଲା ଭଳି ଏଭଳି ଉଦ୍‌ବେଗଜନକ ଚିତ୍ର ଏବେ ସାମନାକୁ ଆସୁଥିବା ବେଳେ କିଛି ବର୍ଷ ଭିତରେ ପଂଜାବ ଭଳି ଓଡ଼ିଶା ବ୍ରାଉନସୁଗାରରେ ବୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ମୋଟା ହିସାବରେ ଗୋଟିଏ କିଲୋ ବ୍ରାଉନସୁଗାରର ମୂଲ୍ୟ ହେଉଛି କୋଟିଏ ଟଙ୍କା। ନୂଆ ନୂଆ ଏହି ନିଶାକୁ ଅଭ୍ୟାସ କରୁଥିବା ଜଣେ ଯୁବକ ଦିନକୁ ୨୦ ମିଲିଗ୍ରାମ (ଗୋଟିଏ ପ୍ୟାକେଟ୍)ର ପୁଡ଼ିଆ ସେବନ କରୁଥିବା ବେଳେ ଏହି ନିଶାରେ କବଳିତ ହେବା ପରେ ବ୍ୟବହାର ପରିମାଣ ହାରାହାରି ଭାବେ ୬୦ ମିଲିଗ୍ରାମ (୩ ପ୍ୟାକେଟ୍)କୁ ବଢିଯାଏ। ନିଶା ସେବନକାରୀ ଏହି ୨୦ ମିଲିଗ୍ରାମ ପ୍ୟାକେଟ୍‌କୁ ୪ଶହରୁ ୫ଶହ ଟଙ୍କାରେ କିଣି ଥାଏ। ଯଦି ହାରାହାରି ଭାବେ ଜଣେ ନିଶା ସେବନକାରୀ ଦିନକୁ ୨୦ ମିଲିଗ୍ରାମ ସେବନ କରୁଛି ବୋଲି ଧରା ଯାଏ ତେବେ ଗୋଟିଏ କିଲୋ ବ୍ରାଉନ୍ ସୁଗାରକୁ ୫୦ ହଜାର ଜଣ ସେବନ କରିଥାନ୍ତି। କୌଣସି ରେକର୍ଡରେ ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ରାଜ୍ୟରେ ଏବେ ବ୍ରାଉନସୁଗାର ସେବନକାରୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ ରାଜ୍ୟରେ ଦିନକୁ ୨ କିଲୋ ବ୍ରାଉନସୁଗାର ବ୍ୟବହାର ହେଉଥିବା ବେଳେ ବର୍ଷକୁ ଏହାର ବ୍ୟବହାର ପରିମାଣ ୭ କ୍ବିଣ୍ଟାଲ ହେବ ବୋଲି ଆକଳନ କରାଯାଉଛି।

Comments are closed.