ରାଜ୍ୟପାଳଙ୍କୁ ଭେଟିଲେ ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ଆଜି ରାତିରେ ହଠାତ୍‌ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। ସେ ଆଜି ମଧ୍ୟାହ୍ନରେ ଦିଲ୍ଲୀ ଯାଇଥିଲେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଥିଲେ। ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ ସିଧା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଏହି ସମୟରେ ବିଜେପିର ବିଧାୟକମାନେ ମଧ୍ୟ ଫଡନାଭିସଙ୍କ ସହ ରାଜଭବନକୁ ଯାଇଥିଲେ। ସେଠାରେ ଫଡନାଭିସ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ଏଥିସହ ରାଜ୍ୟରେ କ୍ଷମତାସୀନ ଉଦ୍ଧବ ସରକାର ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ସେ କହିଛନ୍ତି। ସରକାର ଗଠନ ପାଇଁ ବିଜେପି ପାଖରେ ସଂଖ୍ୟା ରହିଥିବାରୁ ଉଦ୍ଧବ ସରକାରଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବା ପାଇଁ ରାଜ୍ୟପାଳ ତୁରନ୍ତ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଦାବି କରିଛନ୍ତି। ରାଜ୍ୟପାଳ ତାଙ୍କ ଅନୁରୋଧ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ ବୋଲି ଜଣାପଡ଼ିଛି।

Comments are closed.