କୋଟି କୋଟି ଟଙ୍କା ଖର୍ଚ୍ଚ ପରେବି ଅବ୍ୟବସ୍ଥା

ମୋହନା : ସ୍ମାର୍ଟ (୫ଟି)ବିଦ୍ୟାଳୟ ନାମରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁଁ ଉଦଘାଟନର ସାତମାସ ନହେଉଣୁ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଛି ବୋଲି ଅଭିଯୋଗ ହୋଇଛି।

ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ ଦେଖିଲେ ସ୍ପଷ୍ଟ ବାରିହୁଏ ସ୍ମାର୍ଟ ବିଦ୍ୟାଳୟର ନିର୍ମାଣ କାର୍ୟ୍ୟ। ଏଠାରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୪୬୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଶିକ୍ଷା ଦାନ କରୁଛନ୍ତି । ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବେ ଆଉ ସ୍ମାର୍ଟ ହେବେ। ସେନେଇ ରାଜ୍ୟ ସରକାର ବିଦ୍ୟାଳୟକୁ ୫-ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କରି ଲାଇବ୍ରେରୀ, ସ୍ମାର୍ଟ କ୍ଲାସ୍ ରୁମ୍ ,ଆଦର୍ଶ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍ ସେବା ଯୋଗାଇବା ସହ ସୁନ୍ଦର ବଗିଚା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁବ୍ୟବସ୍ଥା କରୁଛନ୍ତି ।

ହେଲେ ଫଳ ହେଉଛି ଓଲଟା । ୨୦୨୧ ନଭେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି ବିଦ୍ୟାଳୟକୁ ଉଦଘାଟନ କରି ଖୁସି ବ୍ୟକ୍ତ ମଧ୍ୟ କରିଥିଲେ । ହେଲେ ଉଦଘାଟନର ୭ ମାସ ନହେଉଣୁ ବିଦ୍ୟାଳୟଟି ଏବେ ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ନା ଆସୁଛି ଶୌଚାଳୟକୁ ପାଣି ନା ଆସୁଛି ବିଶୁଦ୍ଧ ପାନୀୟ ଜଳ । ବର୍ଷା ହେଲେ ଶ୍ରେଣୀ ଗୃହରେ ପଶୁଛି ବର୍ଷା ଜଳ । ଏବେ ମଧ୍ୟ ଅନେକ ପୁରୁଣା ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ମରାମତି କରାଯାଉନଥିବା ଯୋଗୁଁ ସେଠାରେ ଗଛ ଉଠିଗଲାଣି ।
ବିଦ୍ୟାଳୟ ପରିସରରେ କୂଅ ଥିଲେ ମଧ୍ୟ ମରାମତି ଅଭାବରୁ ଭୁସୁଡିଗଲାଣି ।ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ଦେଖି ଛାତ୍ର ଛାତ୍ରୀ ମାନେ ଅବ୍ୟବସ୍ଥା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସୂଚନା ପ୍ରକାରେ ଏହି ବିଦ୍ୟାଳୟକୁ ୫ଟି ମାଧ୍ୟମରେ ୭୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି । ବିଦ୍ୟାଳୟ କାନ୍ଥ ଗୁଡିକୁ ଅନଭିଜ୍ଞ ମିସ୍ତ୍ରୀ ଦ୍ଵାରା ମରାମତି କରାଯାଇଥିବା ବେଳେ ବିଦ୍ୟାଳୟର ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି ।

Comments are closed.