ଟ୍ରେନ ଜାଳିଦେଲେ ଆନ୍ଦୋଳନ କାରି
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ଗୁରୁବାର ଦିନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ତେଜିବାରେ ଲାଗିଛି। ସେନା ବାହିନୀରେ ନିଯୁକ୍ତି ପାଇଁ ସରକାରଙ୍କ ଏହି ନୂଆ ଯୋଜନାକୁ ବିରୋଧ କରି ପ୍ରଥମେ ବିହାରରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ବ୍ୟାପିଛି। ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ବିଭିନ୍ନ ସ୍ଥାନରେ ଟ୍ରେନରେ ନିଆଁ ଲଗାଇଦେଇଥିବାରୁ ରେଳସେବା ବ୍ୟାହତ ହୋଇଛି। ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ବିହାରର ୮ଟି ଜିଲ୍ଲା ତଥା ଜହାନାବାଦ, ବକ୍ସର, ମୁଜାଫରବାଦ, ଭୋଜପୁର, ସରନ, ମୁଙ୍ଗେର, ନୱାଦା ଏବଂ କଇମପୁରରେ ଆନ୍ଦୋଳନ ହିଂସାର ରୂପ ନେଇଛି। ବିହାରର ଛାପ୍ରାରେ ଆନ୍ଦୋଳନକାରୀମାନେ ଏକ ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି। ଭାବୁଆ ରୋଡ୍ ରେଳ ଷ୍ଟେସନ୍ରେ ଏକ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍ରେ ବ୍ୟାପକ ଭଙ୍ଗାରୁଜା ପରେ କେତେକ ବଗିରେ ନିଆଁ ଲଗାଇ ଦିଆଯାଇଛି। ‘ଇଣ୍ଡିଆନ ଆର୍ମି ଲଭର୍ସ’ ଲେଖାଥିବା ଏ ବ୍ୟାନର୍ ଧରି ଆନ୍ଦୋଳନ ନୂଆ ନିଯୁକ୍ତି ଯୋଜନାକୁ ବିରୋଧ କରିଛନ୍ତି। ଆନ୍ଦୋଳନକାରୀମାନେ ରାସ୍ତା ଏବଂ ରେଳ ରୋକ୍ କରିଛନ୍ତି। କେତେକ ବସ୍, ଟ୍ରକ୍ ଏବଂ ଘରୋଇ ଯାନବାହନ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଆନ୍ଦୋଳନକାରୀମାନେ ପାଟନା-ଗୟା ଏବଂ ପାଟନା-ବକ୍ସାର ରୁଟ୍ରେ ଟ୍ରେନ୍ ଚଳାଚଳ ବନ୍ଦ କରିଦେଇଛନ୍ତି। ଆନ୍ଦୋଳନ ପାଇଁ ବିହାରରେ ୨୨ଟି ଟ୍ରେନ୍ ବାତିଲ କରାଯାଇଛି ଏବଂ ୨୯ଟି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଆନ୍ଦୋଳନକାରୀମାନେ ନୱାଦାରେ ଜଣେ ବିଜେପି ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ସେହିପରି ନୱାଦାରେ ବିଜେପି ଅଫିସ ଭଙ୍ଗାରୁଜା କରାଯାଇଛି। ଆରା ରେଳ ଷ୍ଟେସନ୍ରେ ଆନ୍ଦୋଳନ ଉଗ୍ର ରୂପ ନେବାରୁ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଲୁହବୁହା ଗ୍ୟାସ୍ ସେଲ୍ ପ୍ରୟୋଗ କରିଥିଲା।
Comments are closed.