ହାତୀକୁ ରୋକିବାକୁ ନୂଆ ଉପାୟ

ଅନୁଗୋଳ : ହାତୀ-ମଣିଷ ଲଢ଼େଇ ଓ ଧନଜୀବନ ହାନୀ ରୋକିବେ ମହୁମାଛି। ପୂରା ଗାଁକୁ ଜଗିବେ ଓ ଏଭଳି କ୍ଷୟକ୍ଷତିରୁ ମଣିଷକୁ ମୁକ୍ତି ଦେବେ ଏହି ମହୁମାଛି। ଜଙ୍ଗଲୀ ହାତୀଙ୍କୁ ରୋକିବେ। ଗାଁକୁ କୌଣସି ମତେ ପଶାଇ ଦେବେନି। ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ। ଯାହାର ନାମ ରହିଛି, ରିଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟ। ଗାଁ ମୁହାଁ ହାତୀଙ୍କୁ ଘଉଡ଼ାଇବା ନିମନ୍ତେ ଏହି ପ୍ରକଳ୍ପ କରାଯାଉଛି। ଯାହା ସଫଳ ହେବ ବୋଲି ଆଶା ରଖିଛି ବନ ବିଭାଗ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଛି। ତେବେ ଦେଖିବା କଥା କେମିତି କାମ କରୁଛି ଏହି ଅପରେସନ୍।

ବନ ବିଭାଗ ଅଧିକାରୀଙ୍କ କହିବା କଥା, ହାତୀଙ୍କ ବାଟ ଓଗାଳିବେ ମହୁମାଛି। ଗାଁରେ ପଶିବା ପୂର୍ବରୁ ମହୁମାଛିଙ୍କୁ ସାମ୍ନା କରିବେ ଜଙ୍ଗଲୀ ହାତୀ। ହାତୀ ଘଉଡାଇବାକୁ ବିଛାଯାଇଛି ଏମିତି ଜାଲ। ଧାଡ଼ି ଧାଡ଼ି ହୋଇ ରହିଥିବା ଏହି ବାକ୍ସରେ ରହିଛନ୍ତି ଶହ ଶହ ମହୁମାଛି। ଯାହାକୁ ଗାଁ ପ୍ରବେଶ ପଥରେ ରଖାଯିବ। ତାର ସାହାଯ୍ୟରେ ଗଛରେ ଝୁଲାଇ ଦିଆଯିବ ମହୁ ବାକ୍ସ। ହାତୀ ପଲ ଗାଁ ଭିତରକୁ ପଶିବାକୁ ଉଦ୍ୟମ କଲେ ପ୍ରଥମେ ମୁହାଁମୁହିଁ ହେବେ ମହୁମାଛି। ମହୁମାଛିଙ୍କୁ ହାତୀ ଭୟ କରିଥାନ୍ତି। ଏହାଛଡ଼ା ସେମାନଙ୍କ ଗୁଣୁଗୁଣୁ ଶବ୍ଦ ହାତୀଙ୍କୁ ବିରକ୍ତି କରିଥାଏ। ତେଣୁ ଗାଁ ଭିତରକୁ ଆସିବାକୁ ଇଛା କରିବେନି ହାତୀପଲ।

Comments are closed.