ପଶ୍ଚିମବଙ୍ଗରେ ଜୁନ୍ ୧୫ ଯାଏଁ ୧୪୪ ଧାରା ଲାଗୁ
ହାଓ୍ଵଡ଼ା: ବିଜେପିରୁ ନିଲମ୍ବିତ ହୋଇଥିବା ପ୍ରବକ୍ତା ନୁପୂର ଶର୍ମାଙ୍କ ପକ୍ଷରୁ ଏକ ଟିଭି ଚ୍ୟାନେଲରେ ତର୍କରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀକୁ ନେଇ ଉଠିଥିବା ବିବାଦ ମଧ୍ୟରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆଜି ପୁଣି ଥରେ ପଶ୍ଚିମବଙ୍ଗର ହାଓ୍ଵଡ଼ା ଜିଲ୍ଲାରେ ପୋଲିସ ଓ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ ହୋଇଛି। ଏହି ମାମଲାରେ ୭୦ ଜଣଙ୍କୁ ଗିରଫ କରିଛି ପୋଲିସ। ପ୍ରଶାସନ ପକ୍ଷରୁ ହାଓ୍ଵଡ଼ା ଜିଲ୍ଲାରେ ଜୁନ୍ ୧୩ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସେହିପରି ହାଓ୍ଵଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଏହି ହିଂସା ପାଇଁ ବିଜେପିକୁ ଦୋଷୀ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ଵିଟ୍ କରି କହିଛନ୍ତି-ହାଓ୍ଵଡ଼ାରେ ହିଂସା ଘଟଣା ଘଟୁଛି। ଏହା ପଛରେ କିଛି ରାଜନୈତିକ ଦଳ ଅଛନ୍ତି ଓ ସେମାନେ ଦଙ୍ଗା କରିବାକୁ ଚାହୁଁଛନ୍ତି। କିନ୍ତୁ ଏହାକୁ ଆଉ ସହ୍ୟ କରାଯିବ ନାହିଁ। ଏସବୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଲୋକମାନେ ଆଉ କେତେ ବିଜେପି ଯୋଗୁ ଦଣ୍ଡ ପାଇବେ? ଆଜି ହାଓ୍ଵଡ଼ା ଜିଲ୍ଲାରେ ଡୋମଜୁର ଥାନାରେ ଭଙ୍ଗାରୁଜା କରାଯାଇଛି। ପ୍ରଦର୍ଶନକାରୀ କିଛି ଦୋକାନକୁ ଜାଳି ବି ଦେଇଛନ୍ତି। ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି।
ଅନ୍ୟପଟେ ଗୃହ ବିଭାଗ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସୋମବାର ସକାଳ ୬ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଭଏସ୍ କଲ୍ ଓ ଏସ୍ଏମ୍ଏସ୍ ସେବା କିନ୍ତୁ ପୂର୍ବ ଭଳି ଜାରି ରହିବ। ଅଧିକାରୀମାନେ କହିଛନ୍ତି- ବର୍ତ୍ତମାନ ସ୍ଥିତି ଆମ କବ୍ଜାରେ ଅଛି। ପୋଲିସ ହାଓ୍ଵଡ଼ାର କିଛି ରାସ୍ତାକୁ ଖୋଲିଛନ୍ତି।
ଇତି ମଧ୍ୟରେ ରାଜ୍ୟପାଳ ଜଗଦୀପ ଧନଖଡ଼ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି। ଏଥିସହ ଏହି ଅସ୍ଥିରତା ସମ୍ପର୍କରେ ତୁରନ୍ତ ସବୁ ତଥ୍ୟ ମାଗିଛନ୍ତି। ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି ରାଜ୍ୟପାଳ।
Comments are closed.