ଗୁଳିରେ ଗଲା ତିନି ଜୀବନ
ୱାଶିଂଟନ: ଆମେରିକାରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି। ଏହିକ୍ରମରେ ନର୍ଦନ ମ୍ୟାରୀଲାଣ୍ଡରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତିର ପରିଚୟ ପୁଲିସ୍ ସାର୍ବଜନୀନ କରିନି। ତେବେ ଘଟଣା ପରେ ବନ୍ଧୁକଧାରୀ ଓ ଫ୍ୟାକ୍ଟ୍ରୀର ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଉଭୟ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏବେ ସାଧାରଣ ଲୋକଙ୍କ ପ୍ରତି ବିପଦ ନଥିବା ସ୍ଥାନୀୟ ଅଧିକାରୀମାନେ କହିଛନ୍ତି। ତେବେ ସେମାନେ ଆକ୍ରମଣ ପଛର କାରଣ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ମ୍ୟାରୀଲାଣ୍ଡ ଗଭର୍ଣ୍ଣର ଲାରୀ ହୋଗାନ କହିଛନ୍ତି, “ଗୁଳିମାଡ଼ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ଧୁକଧାରୀର ଗୁଳିମାଡ଼ରେ ଫ୍ୟାକ୍ଟ୍ରୀର ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେହିପରି ଉକ୍ତ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ବନ୍ଧୁକଧାରୀ ଜଣକ ମଧ୍ୟ ଆହତ ହୋଇଛି।”
Comments are closed.