ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫ୍‌ଙ୍କୁ କରୋନା

ସାରା ଦେଶରେ ଏବେ ପୁଣିଥରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ କରୋନା ଭାଇରସ୍‌ କବଳକୁ ଆସୁଛନ୍ତି। ନିକଟରେ ଆଦିତ୍ୟ ରୟ କପୁର କରୋନାରେ ସଂକ୍ରମିତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ବି କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମିଡିଆ ରିପୋର୍ଟ ମୁତାବକ, ଶାହରୁଖ ଓ କ୍ୟାଟ୍ରିନା କରୋନାରେ ସଂକ୍ରମିତ ହୋଇଥିବା ବେଳେ ନିକଟରେ କ୍ୟାଟ୍ରିନା କରୋନାରୁ ସୁସ୍ଥ ହୋଇଛନ୍ତି।

ରିପୋର୍ଟ ଅନୁସାରେ, କ୍ୟାଟ୍ରିନା କୈଫ୍‌ ଗତ ସପ୍ତାହରେ ନିଜର ଅପ୍‌କମିଙ୍ଗ୍‌ ଫିଲ୍ମ ‘କ୍ରିସ୍‌ମାସ’ର ଶୁଟିଂ ଆରମ୍ଭ କରିବାର ଥିଲା, ଯାହାର ନିର୍ଦ୍ଦେଶକ ଅଛନ୍ତି ଶ୍ରୀରାମ ରାଘବନ। ତେବେ କ୍ୟାଟ୍ରିନାଙ୍କ କରୋନା ଟେଷ୍ଟ୍‍ ରିପୋର୍ଟ ପଜିଟିଭ ଆସିବା ପରେ ଫିଲ୍ମର ଶେଡ୍ୟୁଲ୍‌କୁ ପୁଣିଥରେ ଆଗକୁ ବଢ଼ାଇ ଦିଆଯାଇଛି। ସୂଚନା ମୁତାବକ, କ୍ୟାଟ୍ରିନା ଏବେ ସମ୍ପୂର୍ଣ୍ଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେ ନିଜର କ୍ୱାରେଣ୍ଟାଇନ ପିରିୟଡ୍‌ ପୂରା କରି ନେଇଛନ୍ତି। ଖବରରୁ ଜଣାପଡ଼ିଛି ଯେ କରୋନାରେ ସଂକ୍ରମିତ ଥିବାରୁ କ୍ୟାଟ୍ରିନା କୈଫ୍‌ ‘ଆଇଫା’ରେ ସାମିଲ ହୋଇ ନ ଥିଲେ। ଏହି ଆଓ୍ଵାର୍ଡ ପଙ୍କସନରେ ତାଙ୍କ ସ୍ୱାମୀ ତଥା ଅଭିନେତା ଭିକ୍କି କୌଶଲ ‘ବେଷ୍ଟ୍‍ ଆକ୍ଟର’ର ଆଓ୍ଵାର୍ଡ ଜିତିଛନ୍ତି।

କହି ରଖୁଛୁ, ଅକ୍ଷୟ କୁମାର ଓ କାର୍ତ୍ତିକ ଆର୍ଯ୍ୟନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସୋସିଆଲ ମିଡିଆରେ ପୋଷ୍ଟ୍‍ ସେୟାର କରି କରୋନା ସଂକ୍ରମିତ ହୋଇଥିବା ନେଇ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ। ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଏକ ରିପୋର୍ଟ ସାମ୍ନାକୁ ଆସୁଛି ଯେ କରଣ ଜୋହରଙ୍କ ବାର୍ଥ ଡେ’ ପାର୍ଟି ଯୋଗୁ ହିଁ ବଲିଉଡ୍‌ ସେଲିବ୍ରିଟିମାନଙ୍କ ମଧ୍ୟରେ କରୋନା ବ୍ୟାପିଛି। ଦାବି କରାଯାଉଛି କି, ଏହି ବାର୍ଥ ଡେ’ ପାର୍ଟିରେ ସାମିଲ ହୋଇଥିବା ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଧିକାଂଶ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Comments are closed.