ବାଣ ତିଆରି ବେଳେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୧୩ ଶ୍ରମିକଙ୍କ ମୃତ୍ୟୁ
ଉତ୍ତର ପ୍ରଦେଶର ହାପୁରସ୍ଥିତ ଏକ ଫ୍ୟାକ୍ଟ୍ରିରେ ଶନିବାର ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋର୍ଦାର ଥିଲା ଯେ ଘଟଣାସ୍ଥଳରେ ହିଁ କାର୍ଯ୍ୟରତ ୧୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ବିସ୍ଫୋରଣ ସମୟରେ କାରଖାନାରେ ପାଖାପାଖି ୨୭ ଜଣ ଶ୍ରମିକ କାମ କରୁଥିଲେ। ପୋଲିସ ମୁତାବକ, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ ଏହି କାରଖାନା ବେଆଇନ ଭାବେ ବାଣ ତିଆରି କରୁଥିଲା। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣ ପାଇଁ ଲାଇସେନ୍ସ ନିଆଯାଇଥିବା ବେଳେ ଏଠାରେ କିନ୍ତୁ ବେଆଇନ ଭାବେ ବାଣ ତିଆରି ଚାଲିଥିଲା।
ଏହି ଦୁର୍ଘଟଣାରେ ପିଏମ୍ ମୋଦି ଟ୍ଵିଟ୍ କରି କହିଛନ୍ତି କି, ହାପୁର ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ହୃଦୟବିଦାରକ। ଏଥିରେ ଯେଉଁ ଲୋକମାନଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି, ସେମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରି ଆଇଜି ଏବଂ କମିଶନର ସମେତ ଉଚ୍ଚ ଅଧିକାରୀମାନଙ୍କୁ ତତ୍କାଳ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.