ଟି-୨୦ ମ୍ୟାଚରେ ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହେଲା ଟିମ୍‌

ଟି-୨୦ ମ୍ୟାଚରେ କୌଣସି ଟିମ୍‌ ମାତ୍ର ୮ ରନ୍‌ କରି ଆଉଟ୍‌ ହୋଇଯିବା ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏପରି ଘଟଣା ଦେଖିବାକୁ ମିଳିଛି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଏସିଆ କ୍ୱାଲିଫାୟାରରେ। ୟୁଏଇ ଏବଂ ନେପାଳ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ସମୟରେ ଏହା ଦେଖିବାକୁ ମିଳିଛି। ନେପାଳ ମହିଳା ଟିମ୍‌ ପ୍ରଥମେ ଖେଳି ୮.୧ ଓଭରରେ ୮ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଯାହାର ଜବାବରେ ୟୁଏଇ ଟିମ୍‌ ମାତ୍ର ୧.୧ ଓଭରରେ ମ୍ୟାଚ୍‌ ଜିତିଯାଇଥିଲା।

ମ୍ୟାଚରେ ନେପାଳ ଟିମ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍‌କୁ ଦ୍ୱିତୀୟ ଓଭରରେ ପ୍ରଥମ ଝଟକା ମିଳିଥିଲା। ଟିମ୍‌ ୩ୟ ଓଭରରେ ୩ଟି ଓ୍ଵିକେଟ ଯାଇଥିଲା। ମାତ୍ର ୨ ରନରେ ୪ଟି ଓ୍ଵିକେଟ ନେପାଳ ଟିମ୍‌ର ଯାଇଥିଲା। ଟିମ୍‌ର ଅନ୍ୟ ୬ ଜଣ ଖେଳାଳି ଖାତା ଖୋଲିବାରେ ଅକ୍ଷମ ରହିଥିଲେ। ସ୍ନେହ ମାହାରା ସବୁଠାରୁ ଅଧିକ ୩ ରନ୍‌ କରିଥିଲେ।

ୟୁଏଇ ଟିମ୍‌ ନେପାଳ ଦେଇଥିବା ଟାର୍ଗେଟକୁ ମାତ୍ର ୭ଟି ବଲରେ ହାସଲ କରିନେଇଥିଲା। ଅଧିନାୟକ ତୀର୍ଥା ସତୀଶ ୪ ଏବଂ ଲାବନ୍ୟା ୩ ରନ୍‌ କରି ଅପରାଜିତ ରହିଥିଲେ। ଏହା ଟିମର ଦ୍ୱିତୀୟ ବିଜୟ। ଏହାପୂର୍ବରୁ ୟୁଏଇ ଟିମ୍‌ ୩ ଜୁନରେ ଭୂଟାନ ବିପକ୍ଷରେ ଖେଳି ୧୬୦ ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ୟୁଏଇ ୨୦୨ ରନ୍‌ କରିଥିଲା। ତୀର୍ଥା ୯୪ ରନ୍‌ କରିଥିଲେ।

Comments are closed.