ତାଡିଲେ ଏଟିଏମ, ଲୁଟି ନେଲେ ୨୦ଲକ୍ଷ

ସମ୍ବଲପୁର : ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଅତ୍ୟାଧୁନିକ ସରଞ୍ଜାମ ସାହାଯ୍ୟରେ ଏଟିଏମ୍‌ ତାଡ଼ି ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଶାସନ ଏସ୍‌ବିଆଇ ଶାଖା ପରିଚାଳକ ଦେବାଶିଷ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇ କହିଛନ୍ତି, ଶୁକ୍ରବାର ଭୋର୍‌ ୩ଟାରେ ଦୁର୍ବୃତ୍ତମାନେ ଉକ୍ତ ଏଟିଏମ୍‌ରୁ ୨୦ ଲକ୍ଷ ୬୬ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି।

ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଏଥିରେ ଏକ ସ୍ବତନ୍ତ୍ର ଗ୍ୟାଙ୍ଗ୍‌ ରହିଥିବା ଜଣାପଡ଼ିଛି । ପୋଲିସ ପାଖରେ ରାଜ୍ୟ ବାହାର ପ୍ରତ୍ୟେକ ଗ୍ୟାଙ୍ଗ୍‌ର ରେକର୍ଡ ରହିଛି। ଏହାକୁ ନେଇ ତର୍ଜମା କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି। ଏଥିପାଇଁ ସ୍ବତନ୍ତ୍ର ଏକ ଟିମ୍‌ ଗଠନ କରାଯାଇଛି। ଜିଲାରେ ଏଭଳି ଏଟିଏମ୍‌ ଲୁଟ୍‌ ଘଟଣା ପ୍ରଥମ ବୋଲି ସେ କହିଥିଲେ।

Comments are closed.