ଜି ୨୦ ସମ୍ମିଳନୀ ଦିଲ୍ଲୀକୁ ସୁରକ୍ଷା ଦେବେ ୧ ଲକ୍ଷ ୩୦ ହଜାର ସୁରକ୍ଷକର୍ମୀ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଚଳିତ ବର୍ଷର ଜି-୨୦ ସମ୍ମିଳନୀ‌ରେ ପ୍ରମୁଖ ବିଶ୍ବ ନେତାମାନେ ଯୋଗଦେବେ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଚାଲିଛି। ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ। ଏଥିପାଇଁ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି। ଦିଲ୍ଲୀରେ ସମସ୍ତ ଆର୍ଥିକ ଅନୁଷ୍ଠାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। ଅନୁପ୍ରବେଶ ଭୟକୁ ଏଡ଼ାଇବାପାଇଁ ବ୍ୟାପକ ସୁରକ୍ଷା‌ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀର ବରିଷ୍ଠ ପୁଲିସ ଅଫିସର ମଧୁପ ତିୱାରୀ କହିଛନ୍ତି, ଦିଲ୍ଲୀ ପୁଲିସର ଅର୍ଦ୍ଧାଧିକ ପୁଲିସ ସମ୍ମିଳନୀ ପାଇଁ ମୁତୟନ ହେବେ।

ସିଏପିଏଫ୍‌ (ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ) ଏବଂ ଏନଏସଜି ( ନେସନାଲ ସିକ୍ୟୁରିଟି ଗାର୍ଡ) ସୁରକ୍ଷା ବ୍ୟବସ୍ଥା ପାଇଁ ଦିଲ୍ଲୀ ପୁଲିସକୁ ସହଯୋଗ କରିବେ। ସହରରେ ସୁରକ୍ଷା ଦାୟିତ୍ବରେ ଥିବା ଦିଲ୍ଲୀ ପୁଲିସର ସ୍ବତନ୍ତ୍ର କମିସନର ଦୀପେନ୍ଦ୍ର ପାଠକ କହିଛନ୍ତି, ଏହା ଏକ ଐତିହାସିକ ମୁହୂର୍ତ୍ତ। ପ୍ରମୁଖ ହୋଟେଲଗୁଡ଼ିକ‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। କାର୍ଯ୍ୟସ୍ଥଳରେ ସିକ୍ୟୁରିଟି କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯିବ। ସମସ୍ତ ବର୍ଡର ସିଲ୍‌ କରାଯିବ। ସରକାର ବିଶ୍ବ ନେତାମାନଙ୍କୁ ନେବା ଆଣିବା କରିବାପାଇଁ ୧୮ କୋଟି ଟଙ୍କା ବିନିମୟରେ ୨୦ଟି ବୁଲେଟ ପ୍ରୁଫ୍‌ ଲିମୋସିନ୍‌ ଲିଜ୍‌ରେ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୯ ତାରିଖରୁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ଏଥିପାଇଁ ୮ ତାରିଖରୁ ବିଶ୍ବ ନେତାମାନେ ଆସି ଦିଲ୍ଲୀ ପହଞ୍ଚିବେ।

Comments are closed.