ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ନବଜାତ ଶିଶୁ ମୃତ
ମହାରାଷ୍ଟ୍ର,୯ ।୧: ମହାରାଷ୍ଟ୍ରର ଭଣ୍ଡାରାର ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଅଘଟଣର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଉଦ୍ଧବ ଠାକରେ ଏହି ମାମଲାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହା ସହ ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ଶିଶୁଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଶିଶୁମାନଙ୍କ ବୟସ ପ୍ରାୟ ଗୋଟିଏ ଦିନରୁ ୩ ମାସ ମଧ୍ୟରେ ହୋଇଥିବା ସୂଚନା ରହିଛି ।
ତେବେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ନ୍ୟୁ ବର୍ଣ୍ଣ ନେଟାଲ ୱାର୍ଡ଼ରେ ଅଗ୍ନିକାଣ୍ଡ ଘଟିଥିଲା । ୱାର୍ଡ଼ରୁ ଧୂଆଁ ବାହାରୁଥିବାର ଜଣେ ନର୍ସ ଦେଖିବା ପରେ ଘଟଣାସ୍ଥଳରେ ସମସ୍ତେ ପହଞ୍ଚିଥିଲେ । ଯାହାପରେ ତୁରନ୍ତ ମେଡିକାଲର ଉପରସ୍ଥ ଅଧିକାରୀଙ୍କୁ ଘଟଣା ବିଷୟରେ ଖବର ଦିଆଯିବ ସହ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ଉଦ୍ଧାର ପରେ ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୭ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କୁ ନିକଟରେ ଥିବା ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।
Comments are closed.