ଇଣ୍ଡିଗୋକୁ ୧.୨୦ କୋଟି ଫାଇନ

ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ପାଖାପଖି ଦେଢ଼ କୋଟିର ଫାଇନ୍‌ ହୋଇଛି। ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ଯୋଗୁଁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀମାନେ ବସି ଖାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଇଥିଲା।

ଜାନୁଆରୀ ୧୪ ତାରିଖର ଏହି ଘଟଣା ଘଟିଥିଲା। ଏଥିପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ୩୦ ଦିନ ଭିତରେ ଏହି ଫାଇନ୍‌ ଦେବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌କୁ ମଧ୍ୟ ୯୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (BCAS) ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଛି।

BCAS ପକ୍ଷରୁ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ବେଳେ DGCA ପକ୍ଷରୁ ଜରିମାନା ବାବଦକୁ ୩୦ ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି। ଏହା ପୂର୍ବରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା। ସେଥିରେ ସନ୍ତୋଷଜନକ ଉତ୍ତର ନମିଳିବାରୁ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ଓ ଇଣ୍ଡିଗୋ ଏୟାରଲାଇନ୍ସକୁ ଜରିମାନା କରାଯାଇଥିବା କହିଛି DGCA।

Comments are closed.