ଭୋଟ୍ ଦେଉଛି ବିଜେପୁର: ୧୧ଟା ସୁଦ୍ଧା ୨୫.୭% ମତଦାନ
ବିଜେପୁର: ଦେଶରେ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନସଭା କ୍ଷେତ୍ର ଏବଂ ୨ଟି ଲୋକସଭା ଆସନର ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି । ବିଜେପୁର ଉପନିର୍ବାଚନ ପାଇଁ ମଧ୍ୟ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମୋଟ୍ ୨୮୫ ପୋଲିଂ ଷ୍ଟେସନରେ ଭୋଟ୍ ଦେଉଛନ୍ତି ଜନତା । ବରପାଲିର ୨୧ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୬ଟି ପୋଲିଂ ଷ୍ଟେସନରେ ଭିଡିଓଗ୍ରାଫି ଓ ୧୪ଟିରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରତି ବୁଥରେ ୨ ଜଣ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି । ଏହା ସହ ନିର୍ବାଚନ ପରିଚାଳନା ପାଇଁ ୧୮୯୫ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ତେବେ ବିଜେପୁରରେ ୧ ଲକ୍ଷ ୨୦ ପୁରୁଷ ଓ ୧ ଲକ୍ଷ ୧୨ ହଜାର ମହିଳା ଭୋଟ୍ ଦେବେ । ସୁରକ୍ଷା ପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୩ କମ୍ପାନୀ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ନକ୍ସଲ ଅଞ୍ଚଳରେ ଥିବା ୬ଟି ବୁଥରେ ମଧ୍ୟ କଡା ନଜର ରଖିଛି ପୋଲିସ ।
ତେବେ ବିଜେପୁରରେ ସକାଳ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି । ସେହିପରି ହରିୟାଣାରେ ଦିନ ୧୧ଟା ସୁଦ୍ଧା ୧୩.୪% ମତଦାନ ହୋଇଥିବା ଜଣାପଡିଛି ।ମହାରାଷ୍ଟ୍ରରେ ଦିନ ୧୧ ଟା ସୁଦ୍ଧା ୬.୭% ମତଦାନ ହୋଇଛି । ବିହାରର ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଚାଲିଛି ଉପନିର୍ବାଚନ । ଦିନ ୧୧ଟା ସୁଦ୍ଧା ସେଠାରେ ୧୬.୭୭% ମତଦାନ ହୋଇଥିବା ସୂଚନା ମିଳିଛି ।
Comments are closed.