ବିଭ୍ରମିତ ବିଜୟ, କରିବେ କଣ !

ଗତ ସପ୍ତାହରେ ଏକ ରାଜନୀତିକ ଗସ୍ତରେ ଦିଲ୍ଲୀ ଯିବା ପୂର୍ବରୁ ବିଜେପିର ବରିଷ୍ଠ ଓ ଭାରାକ୍ରାନ୍ତ ନେତା ବିଜୟ ମହାପାତ୍ର ନିଜ ନିର୍ବାଚନ ମଣ୍ଡଳୀର ଉତ୍ସାହୀ ଅନୁଗାମୀ କର୍ମୀମାନଙ୍କୁ କହିଥିଲେ, ଏଥର ଦିଲ୍ଲୀରୁ ଫେରିବା ପରେ ଧମାକା ହେବ, ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ କର୍ମୀ ସମ୍ମିଳନୀ କରି ସେ ଉଦବୋଧନ ଦେବେ ! ତାଙ୍କୁ ଦିଲ୍ଲୀରୁ ମୋଦି ଓ ଶାହାଙ୍କ ଡାକରା ଆସିଥିବା କଥା ମଧ୍ୟ ଗୁଜବ ଆକାରରେ ପ୍ରଚାରିତ ହେଲା।

ବିଜୟ ଦିଲ୍ଲୀ ଗଲେ, ଗ୍ୟାଙ୍ଗଟକରୁ ଦିଲୀପ ମଧ୍ୟ ଆସିଲେ । ବାବୁ ବୈଜୟନ୍ତ ମଧ୍ୟ ମିଶିଲେ । ଦିଲ୍ଲୀରେ ଯେତିକି ଦିନ ରହିବାର କାର୍ଯ୍ୟକ୍ରମ ଥିଲା, ତାହାକୁ ବଢ଼ାଇ ଦିଆଗଲା । ମାତ୍ର ୩ ଜଣଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ମୋଦି ବା ଶାହା କାହା ସାଙ୍ଗରେ ହେଲେ ବିଜୟ ଦିଲୀପଙ୍କର ସାକ୍ଷାତ ହୋଇପାରିଲା ନାହିଁ । ଉଭୟ ଶାହା ଓ ମୋଦି ସେମାନଙ୍କୁ କଠୋର ଭାବରେ ନିରାଶ କଲେ । ଅବଶ୍ୟ କେବଳ ବୈଜୟନ୍ତଙ୍କୁ ମାତ୍ର ୫ ମିନିଟ ପାଇଁ ସାକ୍ଷାତର ସୁଯୋଗ ମିଳିଲା ଓ ତାଙ୍କୁ କୁହାଗଲା – ସର୍ତ୍ତହୀନ ଭାବରେ ଯୋଗଦେଲେ ତାଙ୍କୁ ବିଜେପିରେ ଗ୍ରହଣ କରାଯିବ । ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବରେ ନିଜକୁ ପ୍ରାୟୋଜିତ କରିବାର ଚିନ୍ତା ମନରୁ ଦୂର କରିଦେବାକୁ ହେବ !

ଉଲ୍ଲେଖନୀୟ ଯେ ବିଜେପି ସଭାପତି ପଦରୁ ବସନ୍ତ ପଣ୍ଡାଙ୍କୁ ବାହାର କରି ପ୍ରତାପ ଷଡଙ୍ଗୀଙ୍କୁ ରାଜ୍ୟ ସଭାପତି କରାଯିଵା  ସମ୍ପର୍କରେ ହେଉଥିବା ସମସ୍ତ ବିତର୍କ ଆଲୋଚନାକୁ ଅନ୍ତ କରି ଦଳର ଓଡିଶା ପ୍ରଭାରୀ ଓଡିଶା ଆସି କହିଗଲେ ଯେ ଓଡ଼ିଶାରେ ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ହିଁ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବ ବିଜେପି ! ପୂର୍ବରୁ ଶାହା ପ୍ରତାପଙ୍କୁ ଏସବୁରୁ ନିବୃତ୍ତ ରହିବା ପାଇଁ ତାଗିଦ କରିଥିଲେ, ଅନ୍ୟଥା ତାଙ୍କ ନିଜ ଟିକେଟ କଟିଯିବ ବୋଲି କହିଥିଲେ !

ବିଜୟ ଦିଲୀପଙ୍କ ପାଇଁ ସୁପାରିଶ କରିବାକୁ ଯାଇ ବୈଜୟନ୍ତଙ୍କର ସେହି ଦଶା ହେଲା ବୋଲି ଜଣାଯାଏ ! ମୋଦି ଓ ଶାହାଙ୍କ ଭେଟ ନପାଇ ବିଜୟ ଓ ଦିଲୀପ ଅଗତ୍ୟା ରାଜନାଥ ସିଂହଙ୍କୁ ଭେଟି ଫେରିଲେ । ବିଜେପିର ସାମ୍ପ୍ରତିକ ରାଜନୀତିକ କ୍ଷମତା – ଚକ୍ରରେ ରାଜନାଥ ସିଂହଙ୍କ ନଗଣ୍ୟତା ବିଷୟ ଉଲ୍ଲେଖ କରିବା ନିଷ୍ପ୍ରୟୋଜନ ।

ଏଠାରେ ଆଉ ଏକ ବିଶେଷ ଗୁରୁତ୍ୱପୂର୍ଣ ବିଷୟ ହେଲା, ବିଜୟଙ୍କ ଦିଲ୍ଲୀ ଗସ୍ତର ପ୍ରଚାରିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ ଏକ ଅପ୍ରଚାରିତ ଗୁପ୍ତ ଉଦେଶ୍ୟ ମଧ୍ୟ ଥିଲା । ତାହା ତାଙ୍କର ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ବୋଲି କୁହାଯାଇଛି । ବିଜୟଙ୍କ ଦିଲ୍ଲୀ ଗସ୍ତର ଠିକ ପରଦିନ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇଜଣ ଉତ୍ସାହୀ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଏହି ରହସ୍ୟର ରାଜନୀତି ଦିଗକୁ ଅଙ୍ଗୁଳି ନିର୍ଦେଶ କରୁଛି । ମାତ୍ର ଏହି ଅପ୍ରଚାରିତ ଗୁପ୍ତ ଉଦ୍ଦେଶ୍ୟ ମଧ୍ୟ ଫଳବତୀ ହେଲା ନାହିଁ ବୋଲି ଜଣାପଡିଛି ।

ବିଜୟ ଦିଲ୍ଲୀରୁ ଫେରି ଆସିଛନ୍ତି, ମାତ୍ର ପୂର୍ବ ପ୍ରଚାରିତ ଧମାକାର କିଛି ସୋରଶବ୍ଦ ନାହିଁ । ଓଡିଶା ରାଜନୀତିରେ ବିଜୟ ମହାପାତ୍ର ଜଣେ ଚର୍ଚ୍ଚିତ ଅଧିନାୟକ ।  ୨୦୦୦ ମସିହାରୁ ୧୮ ବର୍ଷ ଧରି ନିର୍ଵାଚନ ଜିତି ପାରିନଥିବା ସତ୍ତ୍ୱେ ତାଙ୍କ ଉତ୍ତୁଙ୍ଗ ରାଜନୀତିକ ବ୍ୟକ୍ତିତ୍ୱ କେବେ ହେଁ  ଖର୍ବ ହୋଇନଥିଲା । ମାତ୍ର ଯେଉଁଦିନ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ବୟାନ ଦେଲେ, ସେହି ଦିନଠାରୁ ହିଁ ତାଙ୍କ ରାଜନୀତିକ ଚେହେରାର ଝଲକ ମ୍ଳାନ ପଡିବା ଆରମ୍ଭ ହେଲା ।

ଆଗକୁ ନିର୍ବାଚନ । ବିଜୟଙ୍କ ସାମ୍ନାରେ କିଛି ରାସ୍ତା ହିଁ ନାହିଁ । କଣ କରିବେ ସେ, କିପରି ଭାବେ ନିଜକୁ ପ୍ରାୟୋଜିତ କରିବେ, ତାହା ତାଙ୍କ ପାଇଁ ଏକ ବଡ ଜଟିଳ ସମସ୍ୟା !!

Comments are closed.