ରଦ୍ଧହେବ ରାହୁଲ ଗାନ୍ଧିଙ୍କ ସାଂସଦ ପଦ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଅପରାଧିକ ମାନହାନି ମାମଲାରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହେବା କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି। ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ରାହୁଲ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ସଂସଦ ସଦସ୍ୟତା ହରାଇ ପାରନ୍ତି। ରାହୁଲ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ଜନ ପ୍ରତିନିଧି ଆଇନ ଅନୁଯାୟୀ କୌଣସି ସଦସ୍ୟ ଯଦି ୨ କିମ୍ବା ୨ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍‌ଦଣ୍ଡ ପାଆନ୍ତି ତେବେ ତାଙ୍କୁ ଦଣ୍ଡାଦେଶ ସମୟ ପର୍ଯ୍ୟନ୍ତ ଏବଂ ପରେ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯିବ। କିନ୍ତୁ ଏହି ଆଇନରେ ସଂସଦର ବର୍ତ୍ତମାନର ସଦସ୍ୟଙ୍କ ପାଇଁ ଅନ୍ୟ ଏକ ବ୍ୟବସ୍ଥା ରହିଛି।

ସମ୍ପୃକ୍ତ ସାଂସଦଙ୍କ ଆବେଦନ ଉପରେ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବନି। ଇତିମଧ୍ୟରେ କଂଗ୍ରେସ ଆଜି କହିଛି, ସୁରଟ କୋର୍ଟଙ୍କ ରା‌ୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲୋକସଭା ସଚିବ ସୁରଟ ‌କୋର୍ଟଙ୍କ ରାୟ ଆଧାରରେ ରାହୁଲଙ୍କୁ ଅଯୋଗ୍ୟ ଘୋଷଣା କରିପାରନ୍ତି। ଇତିମଧ୍ୟରେ ସୁପ୍ରିମକୋର୍ଟ ଆଇନଜୀବୀ ବିନୀତ ଜିନ୍ଦଲ ଆଜି ଲୋକସଭା ବାଚସ୍ପତିଙ୍କ ନିକଟରେ ଏକ ଅଭିଯୋଗ ଦାଏର କରିଛନ୍ତି। ରାହୁଲଙ୍କ ସଦସ୍ୟତା ରଦ୍ଦ କରିବାପାଇଁ ସେ ଦାବି କରିଛନ୍ତି। ତେବେ ରାହ‌ୁଲଙ୍କ ଦଣ୍ଡାଦେଶ ଉପରେ ଯଦି ରୋକ୍‌ ଲାଗିବ ତେବେ ତାଙ୍କୁ ସଂସଦ ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରାଯିବନି ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି।

Comments are closed.