କିଏ ହେବ କଂଗ୍ରେସ ମୁଖିଆ

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ମୁଖିଆ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଦଳ ଅସ୍ଥାୟୀ ତଥା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଭରସାରେ ଚାଲିଛି। ହେଲେ ଏଯାଏ ଦଳ ତା’ର ସ୍ଥାୟୀ ମୁଖିଆଙ୍କୁ ଚୟନ କରିପାରୁନି। ରାହୁଲ ଗାନ୍ଧି ପୁଣି କମାଣ ସମ୍ଭାଳନ୍ତୁ ବୋଲି ବରିଷ୍ଠ ନେତାମାନେ କହୁଥିଲେ ହେଁ ସେ ଘଟଣା ଉପରୁ ପରଦା ହଟାଉ ନାହାନ୍ତି।

ଏସବୁ ଭିତରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ଦଳର ମୁଖିଆ ବାଛିବା ପାଇଁ କଂଗ୍ରେସ ଭିତରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ଦଳର ସ୍ଥାୟୀ ମୁଖିଆ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି।

୨୦୧୯ ସାଧାରଣ ନିର୍ବାଚନ ବେଳେ ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ଭାବେ କାମ କରୁଥିଲେ। ହେଲେ ଦଳ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେ ପଦ ଛାଡ଼ିଥିଲେ ମଧ୍ୟ ଏବେ ତାଙ୍କୁ ପୁଣି ଦାୟିତ୍ୱ ନେବାକୁ ଅନେକ ନେତା କହୁଛନ୍ତି। ହେଲେ ପଦ ଛାଡ଼ିବା ପରେ ପୁଣି ଦାୟିତ୍ୱ ନେବା ମୁଡରେ ରାହୁଲ ଗାନ୍ଧି ନାହାନ୍ତି।

ତଥାପି ରାହୁଲଙ୍କୁ ଦଳର ଅନେକ ବରିଷ୍ଠ ନେତା ଓ ସହଯୋଗୀମାନେ ପଦ ସମ୍ଭାଳିବାକୁ ବୁଝାଇବାରେ ଲାଗିଛନ୍ତି। ପ୍ରାଥମିକ ଅବସ୍ଥାରେ ରାହୁଲ ଗାନ୍ଧି କିଛି ବୁଝିବା ଅବସ୍ଥାରେ ନଥିଲେ। ହେଲେ ୨୦୧୯ ପରଠାରୁ ଦଳର ପ୍ରଦର୍ଶନ ଦିନକୁ ଦିନ ତଳକୁ ଯାଉଛି। ଦଳ ଗୋଟିଏ ରାଜ୍ୟରେ ନିର୍ବାଚନ ଜିତିବାକୁ ସକ୍ଷମ ମଧ୍ୟ ହୋଇନି। ଏହାକୁ ଦୃଷ୍ଟିରେ ରଖି ରାହୁଲ କମାଣ ସମ୍ଭାଳି ପାରନ୍ତି ବୋଲି ବରିଷ୍ଠ ନେତାମାନଙ୍କ ଆଶା ରଖିଛନ୍ତି। ହେଲେ ରାହୁଲ ଗାନ୍ଧି ସ୍ପଷ୍ଟ ଭାବେ କିଛି ବି କହିନାହାନ୍ତି।

Comments are closed.