ଭୋଟ ଦେବା ପରେ କଣ କହିଲେ ପ୍ରଧାନମନ୍ତ୍ରୀଙ୍କ ଭାଇ

ଅହମ୍ମଦାବାଦ: ସୋମାଭାଇ ମୋଦି ଅହମ୍ମଦାବାଦର ସାବରମତି ବିଧାନସଭା କ୍ଷେତ୍ର ରାନିପ ନିଶାନ ପବ୍ଲିକ ସ୍କୁଲରେ ଭୋଟ୍ ଦେଇଛନ୍ତି। ଏହି ବୁଥ୍‌ରେ ପ୍ରଧାନମନ୍ତ୍ରୀ ମୋଦି ନିଜର ମତଦାନ କରିଛନ୍ତି। ଆଜି ସକାଳେ ନିଜ ବଡ଼ ଭାଇ ସୋମାଭାଇ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଥିଲେ। ତେବେ ଆଜି ସୋମାଭାଇ ଭୋଟ ଦେବାକୁ ଆସିଥିବା ବେଳେ ଭାବପ୍ରବଣ ହୋଇପଡ଼ିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଭାଇ କହିଛନ୍ତି ଯେ, ମୁଁ ଆଜି ମୋ ଭାଇ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିଲି। କଥାବାର୍ତ୍ତା ସମୟରେ ମୁଁ କହିଥିଲି ଯେ, ତୁମେ ଦେଶ ପାଇଁ ଅନେକ କାମ କରୁଛ। ତେଣୁ କିଛିଟା ବିଶ୍ରାମ ନେବା ପାଇଁ ମୁଁ ତାଙ୍କୁ ପରାମର୍ଶ ଦେଇଛି।

ସେ କହିଛନ୍ତି ଯେ, ୨୦୧୪ମସିହାରୁ ଜାତୀୟ ସ୍ତରରେ ଯେଉଁ ପ୍ରକାର କାର୍ଯ୍ୟ କରାଯାଉଛି ତାହା ଦେଶର ଲୋକମାନେ ଅଣଦେଖା କରିପାରିବେ ନାହିଁ। ଯାହାର ପ୍ରତିଫଳନ ଗୁଜରାଟରେ ଦେଖିବାକୁ ମିଳିବା ନେଇ ସେ ଆଶା ରଖିଛନ୍ତି। ଭୋଟରଙ୍କୁ ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ସେମାନେ ନିଜର ଭୋଟ ଦେଶର ଭଲ ପାଇଁ ବ୍ୟବହାର କରିବା ଉଚିତ୍। ସେମାନେ ଏପରି ଦଳକୁ ଭୋଟ୍ ଦେବା ଉଚିତ ଯାହା ଦେଶର ବିକାଶ ପାଇଁ କାର୍ଯ୍ୟ କରିବ। ୨୦୧୪ରୁ ଦେଶରେ ଯେଉଁଭଳି କାର୍ଯ୍ୟ ହୋଇଛି ତାହା ଲୋକେ କେବେ ଅଣଦେଖା କରିପାରିବେ ନାହିଁ। ସେହି କାର୍ଯ୍ୟଧାରାକୁ ଆଧାର କରି ଳୋକେ ସେମାନଙ୍କର ନିର୍ଣ୍ଣୟ ନେବେ। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜର ମତଦାନ କରି ହିମାଚଳ ପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟର ଲୋକଙ୍କୁ ଗଣତନ୍ତ୍ରର ଉତ୍ସବ ପାଳନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Comments are closed.