ତୁର୍କୀ ଭୂମି କମ୍ପ: ମୃତ୍ୟୁ ସଂଖ୍ୟା ୧୯ ହାଜର ଟପିଲା
ଇସ୍ତାନବୁଲ : ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୧୯ ହଜାର ଟପିଯାଇଛି। କେବଳ ତୁର୍କୀରେ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। ତୁର୍କୀରେ ପ୍ରାୟ ୧,୮୦,୦୦୦ ଲୋକ ସେମାନଙ୍କ ଘରର ଭଗ୍ନାବଶେଷ ତଳେ ପୋତି ହୋଇ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି।
ସିରିୟାର କେତେକ ଅଂଚଳରେ ହଜାର ହଜାର ଘର ମାଟିରେ ମିଶିଯାଇଥିଲେ ମଧ୍ୟ ସେଠାରେ ଉଦ୍ଧାର ଏଯାବତ ତ୍ବରାନ୍ବିତ ହୋଇନାହିଁ। ଇତିମଧ୍ୟରେ ଯେଉଁମାନେ ଜୀବିତ ଉଦ୍ଧାର ହୋଇଛନ୍ତି ସେମାନଙ୍କ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଚିନ୍ତା ପ୍ରକଟ କରିଛି। ବଞ୍ଚିଯାଇଥିବା ଲୋକେ ଏବେ ବିନା ଘର, ବିନା ପାଣି, ଇନ୍ଧନ ଏବଂ ବିନା ବିଦ୍ୟୁତ୍ରେ ଘାଣ୍ଟି ହେଉଛନ୍ତି। ‘ହୁ’ କହିଛି, ଲକ୍ଷାଧିକ ଲୋକ ଏବେ ଖୋଲାରେ ପଡ଼ିଛନ୍ତି। ପିଇବା ପାଣି ମୁଖ୍ୟ ସମସ୍ୟା ହୋଇଛି। ଏଭଳି ସ୍ଥିତି ପାଇଁ ଆଗକୁ ଆଉ ଏକ ବିପର୍ଯ୍ୟୟ ସାମ୍ନା କରିବାକୁ ପଡ଼ିବ। ପ୍ରଥମ ବିପର୍ଯ୍ୟୟଠାରୁ ଦ୍ବିତୀୟ ବିପର୍ଯ୍ୟୟ ଲୋକଙ୍କ ପାଇଁ ବେଶୀ ଘାତକ ହେବ ବୋଲି ‘ହୁ’ କହିଛି। ତୁର୍କୀରେ ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ପ୍ରାୟ ୩୦ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କହରାମ୍ନମାରସରୁ ୨୮,୦୪୪ ଲୋକ ସ୍ଥାନାନ୍ତର ହୋଇଛନ୍ତି। ସବୁଠୁ ଦୁଃଖଦାୟକ ହେଉଛି ଗତରାତିଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ଏଠାରେ କୌଣସି ଜଣଙ୍କୁ ବି ଜୀବିତ ଉଦ୍ଧାର କରାଯାଇପାରିନି। ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି ସମସ୍ତଙ୍କ ମୃତ୍ୟୁ ହୋଇସାରିଥିବା ବଳେ ଶବ ରଖିବା ପାଇଁ ବ୍ୟାଗ୍ ମଧ୍ୟ ଅଭାବ ପଡ଼ିଯାଇଛି।
Comments are closed.