ପାଣି ପିଇବାକୁ ଯାଇ ଫସିଛି ଦନ୍ତା
ପାଣି ପିଇବାକୁ ଯାଇ ପୋଖରୀରେ ଫଶି ରହିଛି ହାତୀ । ସମ୍ବଲପୁର ସାପଲହରା ଗାଁର ଏକ ପୋଖରୀରେ ହାତୀଟି ଗତକାଲିଠାରୁ ଫଶି ରହିଛି । ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ହାତୀକୁ ନିରିକ୍ଷଣରେ ରଖିଛନ୍ତି । ହାତୀର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଚିକିତ୍ସିତ ହେଉଥିଲା । କୌଣସି କାରଣ ବଶତଃ ହାତୀଟି ପୋଖରୀ ଭିତରକୁ ଯାଇ ଆଉ ବାହାରକୁ ଆସିପାରିନାହିଁ । ହାତୀଟି ପାଣିରେ ପଡ଼ିରହିଥିବା ବେଳେ ପାଣି ଭିତରୁ ବାହାରକୁ ଆସିପାରୁନଥିବା ଦେଖିବାକୁ ମିଳିଛି
ଗତ ୨୯ ତାରିଖ ଦିନ ପଡ଼ିଆବାହାଲ ବନାଞ୍ଚଳରେ ଏକ ଆହତ ଦନ୍ତାହାତୀ ବୁଲୁଥିବା ଦେଖାଯାଇଥିଲା । ହାତୀଟି ଶରୀରରେ ଆଘାତ ଲାଗିଥିଲା । ଦୁଇ ହାତୀ ମଧ୍ୟରେ ସଂଘର୍ଷ ଯୋଗୁ ଏଭଳି ଆଘାତ ଲାଗିଥିବା ବନ ବିଭାଗ କହିଥିଲା । ତେବେ, ଏହି ହାତୀକୁ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ବନ ବିଭାଗକୁ ୪ ଦିନ ସମୟ ଲାଗିଯାଇଥିଲା । ଗତ ୨ ତାରିଖ ଦିନ ଆହତ ହୋଇ ଚାଲି ପାରୁନଥିବା ଦନ୍ତା ହାତୀର ଚିକିତ୍ସା ଭୁବନେଶ୍ୱର ଓୟୁଏଟିରୁ ଆସିଥିବା ଚିକିତ୍ସକ ଦଳ ଏବଂ ଯୁଯୁମୁରା ପ୍ରାଣୀଧନ ଚିକିତ୍ସକ ଚିକିତ୍ସା କରିଥିଲେ । ଆହତ ହାତୀଟି ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିଲାବେଳେ ଗତକାଲିଠାରୁ ବଡ଼ସାହିର ବନାଞ୍ଚଳ ଅଧୀନସ୍ଥ ସାପଲହରା ମହାଦେବ ମନ୍ଦିର ସଂଲଗ୍ନ ପୋଖରୀରେ ପାଣି ପିଇବାକୁ କିମ୍ବା ଗାଧୋଇବାକୁ ଆସିଥିଲା ।
Comments are closed.