ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍‌ କରିବ । ମାତ୍ର ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ ହୋଇପାରେ। ଆଜି ଏପରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମନୋରମା ମହାନ୍ତି କହିଛନ୍ତି, ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଦାନା’ ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ସାଗର ଦ୍ୱୀପଠାରୁ ୩୫୦ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ଏହା ବର୍ତ୍ତମାନ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି।

ସେ କହିଛନ୍ତି, ବାତ୍ୟାର ଗତିପଥ ଯାହା ଥିଲା, ତାହା ରହିଛି। ବାତ୍ୟା ‘ଦାନା’ ଅତି ଭୀଷଣ ରୂପ ନେଇ ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିଆ ଓ ଧାମରା ପାଖାପାଖି ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍‌ ପରେ ଏହା ସାମାନ୍ୟ ପଶ୍ଚିମ ପଶ୍ଚିମ ଦକ୍ଷିଣ ଦିଗକୁ ରିକର୍ଭ କରିପାରେ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ।

Comments are closed.