ଭାରତର ସହଯୋଗ ଲୋଡ଼ିଛି ତାଇୱାନ
ତାଇପେଇ: ଚଳିତ ମାସ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଅଧିକାରୀଙ୍କ ଗସ୍ତ ଯୋଗୁଁ ଚୀନ୍ ଉତ୍କ୍ଷିପ୍ତ ହୋଇ ତାଇୱାନ୍ ଦ୍ବୀପ ଚତୁଃପାର୍ଶ୍ବସ୍ଥ ସମୁଦ୍ରରେ ଜୋର୍ଦାର୍ ସମରାଭ୍ୟାସ ଚଳାଇଥିବା ବେଳେ ‘ଇଣ୍ଟର୍ପୋଲ୍’ରେ ସାମିଲ୍ ହେବା ଲାଗି ତାଇୱାନ୍ ଭାରତର ସହାୟତା ଲୋଡ଼ିଛି।
ଚୀନ୍ ତା’ର ପ୍ରଭାବ ବଳରେ ନିଜସ୍ବ ସ୍ବାର୍ଥ ଲାଗି ‘ଇଣ୍ଟର୍ନ୍ୟାସ୍ନାଲ୍ କ୍ରିମିନାଲ୍ ପୋଲିସ୍ ଅର୍ଗାନାଇଜେସନ୍’ର (ଇଣ୍ଟର୍ପୋଲ୍) ଅପବ୍ୟବହାର କରୁଥିବା ଅଭିଯୋଗ ହୋଇ ଆସୁଛି। ଅର୍ଥିକ କ୍ଷମତା ବଳରେ ୨୦୧୬ରୁ ଚୀନ୍ ‘ଇଣ୍ଟର୍ପୋଲ୍’କୁ ପ୍ରଭାବିତ କରି ଆସୁଥିବା କଥା ତାଇୱାନ୍ କହିଛି।
୧୯୮୪ ପର୍ଯ୍ୟନ୍ତ ତାଇୱାନ୍ ‘ଇଣ୍ଟର୍ପୋଲ୍ ଜେନେରାଲ୍ ଆସେମ୍ବ୍ଲି’ର ଅଂଶବିଶେଷ ଥିଲା, କିନ୍ତୁ ଚୀନ୍ ତାହାକୁ ହଟାଇ ଦେଇଥିଲା।
ଗଣମାଧ୍ୟମକୁ ତାଇୱାନ୍‘କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ’ର କମିସନର୍ କହିଛନ୍ତି, ତାଇୱାନ୍ ‘ଇଣ୍ଟର୍ପୋଲ୍’ର ସଦସ୍ୟ ରାଷ୍ଟ୍ର ନୁହେଁ। ଆମେ ସାଧାରଣ ପରିଷଦ୍କୁ ଆମର ପ୍ରତିନିଧି ଦଳ ପଠାଇ ପାରିବୁ ନାହିଁ। ଭାରତ ‘ଇଣ୍ଟର୍ପୋଲ୍’ର ସାଧାରଣ ପରିଷଦ୍ ଆୟୋଜନ କରୁଥିବାରୁ ଆମକୁ ଆମନ୍ତ୍ରଣ କରିବା ପାଇଁ ତା’ର କ୍ଷମତା ଅଛି। ଜଣେ ପର୍ଯ୍ୟବେକ୍ଷକ ଭାବେ ତାଇୱାନ୍କୁ ଭାରତ ଓ ଅନ୍ୟ ଦେଶମାନେ ଆମନ୍ତ୍ରଣ କରିବେ ବୋଲି ଆଶା କରୁଛୁ।
ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ୯୦ତମ ‘ଇଣ୍ଟର୍ପୋଲ୍’ ସାଧାରଣ ପରିଷଦ୍ର ବୈଠକ ଭାରତରେ ଆୟୋଜନ କରାଯିବ।
ତେଣେ, ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ସରକାର ତାଇୱାନ୍ ସହିତ ବାଣିଜ୍ୟିକ ଆଲୋଚନା ଆରମ୍ଭ କରିଛି। କିନ୍ତୁ, ଆନ୍ତର୍ଜାତିକ ସମୁଦାୟ ଏହାକୁ ତାଇୱାନ୍ ପ୍ରତି ଆମେରିକାର ସମର୍ଥନ ବୋଲି ବିଚାର କରୁଛନ୍ତି।
Comments are closed.