ଆୟର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-20 ସିରିଜ୍ ଖେଳିବ ଭାରତ

ଆୟର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି ଟେ୍ଵଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା। ଅଧିନାୟକ ଭାବେ ଦାୟିତ୍ୱ ସମ୍ବାଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ଚଳିତ ମାସ ୨୬ ଓ ୨୮ ତାରିଖରେ ଡବଲିନ୍‌ ଠାରେ ଉଭୟ ମ୍ୟାଚ ଖେଳାଯିବ । ବିସିସିଆଇ ପକ୍ଷରୁ ଏନେଇ ଟୁଇଟ୍‌ କରି ସୂଚନା ଦିଆଯାଇଛି ।

ଦଳରେ ନୂଆ ମୁହଁ ଭାବେ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ମିଳିଛି । ଆଇପିଏଲରେ କ୍ରମାଗତ ଭାବେ ପ୍ରଭାବିତ କରିଛନ୍ତି ରାହୁଲ ତ୍ରିପାଠୀ । ସେହିପରି ଆହତ ଯୋଗୁ ଟିମ ଇଣ୍ଡିଆରୁ ଦୁରେଇ ରହିଥିବା ସୂର୍ଯ୍ୟ କୁମାର ଯାଦବ ଦଳକୁ କମ୍‌ବ୍ୟାକ କରିଥିବା ବେଳେ ସଞ୍ଜୁ ସାମସନ୍‌ଙ୍କୁ ପୁନର୍ବାର ଡକରା ମିଳିଛି ।

ଅନ୍ୟ ଖେଳାଳିଙ୍କ ମଧ୍ୟରେ ଇସାନ କିସାନ, ଋତୁରାଜ ଗାଏକଓ୍ଵାଡ, ସଞ୍ଜୁ ସାମସନ, ଭେଙ୍କଟେଶ ଆୟର, ଦୀପକ ହୁଡ଼ା, ଦୀନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଳ, ଅକ୍ଷର ପଟେଲ, ଆର ବିଷ୍ଣୋଇ, ହର୍ଷଲ ପଟେଲ, ଆଭେସ ଖାନ୍‌, ଅର୍ଶଦୀପ ସିଂହ ଏବଂ ଆଇପିଏଲରେ କମାଲ କରିଥିବା ଯୁବ ବୋଲର ଉମ୍ରାନ ମଲ୍ଲିକଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇଛି । ଶ୍ରେୟାସ ଆୟର ଓ ରିଷଭ ପନ୍ତ ଟେଷ୍ଟ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରୁଥିବାରୁ ଆୟର୍ଲାଣ୍ଡ ଗସ୍ତ ପାଇଁ ଦଳରେ ସାମିଲ ହୋଇନାହାନ୍ତି ।

Comments are closed.