ଏନ୍‌ଇଇଟି-ୟୁଜି ଉପରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ୟର ବିଜୟ: ଧର୍ମେନ୍ଦ୍ର

ଏନ୍‌ଇଇଟି୍‌-ୟୁଜି ପୁନଃ ପରୀକ୍ଷା ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ଏହି ପ୍ରସଙ୍ଗରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ସୁପ୍ରିମକୋର୍ଟ ଦେଇଥିବା ରାୟ ଦ୍ୱାରା ସତ୍ୟର ବିଜୟ ହୋଇଛି। ଏହି ନିଷ୍ପତ୍ତି ସମସ୍ତ କଳ୍ପନାଜଳ୍ପନାକୁ ଦୂରକରିବା ସହ ଅନେକ ଲକ୍ଷ କଠିନ ପରିଶ୍ରମୀ ଓ ସଚ୍ଚୋଟ ଛାତ୍ରୀଛାତ୍ରଙ୍କୁ ଆଶ୍ୱସ୍ତି ଦେବ। ସେ ଆହୁରି କହିଛନ୍ତି, ଏନ୍‌ଇଇଟି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଥିବା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ହିତରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ବଜାୟ ରଖୁଥିବା ଏହି ଐତିହାସିକ ରାୟ ପାଇଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିଦ୍ୟାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷାକୁ ସ୍ବଚ୍ଛ, ବିନା କୌଣସି ଟ୍ୟାମ୍ପରିଂ ତଥା ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ କଟିବଦ୍ଧ ଅଛି। ଏନ୍‌ଇଇଟି ପରୀକ୍ଷାକୁ ପରିଚାଳନା କରୁଥିବା ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ)କୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ. ରାଧାକ୍ରିଷ୍ଣନଙ୍କ ନେତୃତ୍ୱରେ ଗଠିତ କମିଟି ସମସ୍ତ ଦିଗରୁ ଘଟଣାକୁ ଅନୁଧ୍ୟାନ କରିବା ସହ ନିଜର କାମ ଜାରି ରଖିଛନ୍ତି। ସିବିଆଇ ମଧ୍ୟ ନିଜର କାମ ଜାରି ରଖିଛି। ଯୁବପିଢ଼ି, ବିଦ୍ୟାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଆଶ୍ୱସ୍ତ କରୁଛି ଯେ, ଏନ୍‌ଟିଏ ସଂସ୍ଥା ଦ୍ୱାରା ପରିଚାଳିତ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସମସ୍ତ ପ୍ରକ୍ରିୟାରେ ଯେଉଁ ଅବ୍ୟବସ୍ଥା ହୋଇଛି ସେଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ଦେଶର ପରୀକ୍ଷା ବ୍ୟବସ୍ଥାକୁ ସମାଲୋଚନାକରି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ସ୍ବାର୍ଥ ପାଇଁ ଉପଯୋଗ କରି ରାଜନୈତିକ ଅସ୍ଥିରତା ଓ ଅରାଜକତା ସୃଷ୍ଟି କରିଛନ୍ତି, ଏହି ରାୟ ସେମାନଙ୍କ ଆଖି ଖୋଲିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Comments are closed.