ଥାନା ରେ ଆତ୍ମହତ୍ୟା କଲେ ମହିଳା

ଅହମ୍ମଦାବାଦ: ମହଙ୍ଗା ପଡିଲା ପରକୀୟା ପ୍ରୀତି । ସ୍ୱାମୀ ଥାଉ ଥାଉ ପର ପୁରୁଷ ସହ ପ୍ରେମ ସମ୍ପର୍କରେ ମାତିଥିଲେ ମହିଳା । ଏନେଇ ଏକ ମାମଲାରେ ପୁଲିସ୍‌ ତାଙ୍କୁ ଥାନାକୁ ପଚରାଉଚରା ପାଇଁ ଡାକିଥିବା ବେଳେ ସେଠାରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ସମ୍ପୃକ୍ତା ମହିଳା । ଏପରି ଅଭାବନୀୟ ଘଟଣା ଗୁଜରାଟର ରାଜକୋଟ ଅଞ୍ଚଳରେ ଘଟିଛି । ମୃତ ୩୬ ବର୍ଷୀୟା ମହିଳାଜଣଙ୍କ ପରିବାରବର୍ଗଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି ।

ଡେପୁଟି ପୁଲିସ୍‌ କମିଶନର କହିଛନ୍ତି ଯେ, ମହିଳାଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ଅନ୍ୟତ୍ର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଏହାପରେ ଧାରୁଆ ଅସ୍ତ୍ରରେ ନିଜକୁ ଆଘାତ ପହଞ୍ଚାଇବା ମାମଲାରେ ପୁଲିସ୍‌ ପଚରାଉଚରା ପାଇଁ ତାଙ୍କୁ ଶନିବାର ସନ୍ଧ୍ୟାରେ ଡାକିଥିଲା । ଉକ୍ତ ସମୟରେ ତାଙ୍କ ପ୍ରେମିକ ବି ତାଙ୍କ ସହ ଉପସ୍ଥିତ ଥିଲେ । ହେଲେ ଏ ନେଇ ତାଙ୍କ ସ୍ୱାମୀଙ୍କ ପାଖରେ କିଛି ସୂଚନା ନ ଥିଲା ।

ଅନ୍ୟତ୍ର ପ୍ରେମ ସମ୍ପର୍କ ବିଷୟରେ ସ୍ୱାମୀ ଜାଣିଯିବେ ଭାବି ମହିଳାଜଣକ ଶନିବାର ରାତିରେ ଘରକୁ ଫେରିବାକୁ ରାଜି ହୋଇ ନ ଥିଲେ । ଫଳରେ ସେ ଥାନାରେ ଅଟକିଥିଲେ । ରବିବାର ସକାଳେ ଶୌଚାଳୟ ଯାଇଥିବା ବେଳେ ବହୁତ ସମୟ ପର୍ଯ୍ୟନ୍ତ ଫେରି ନ ଥିଲେ । ଏହାପରେ ଖୋଜାଖୋଜି କରିବାରୁ ଶୌଚାଳୟ ଭିତରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏନେଇ ମହିଳାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବରିଷ୍ଠ ପୁଲିସ୍‌? ଅଧିକାରୀ ।

Comments are closed.