ଶରତଙ୍କ ସହ କଥା ହେଲେ ସୋନିଆ

ନୂଆଦିଲ୍ଲୀ :ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଦଳ ଦି’ଫାଳ ହୋଇଯାଇଛି। ୨୪ ବର୍ଷ ତଳେ ଶରଦ ପାୱାର ଏନସିପିର ପ୍ରତିଷ୍ଠା କରିଥିଲେ। ହେଲେ ଏବେ ତାଙ୍କ ପୁତୁରା ଅଜିତ ପାୱାର ବିଜେପି ଓ ଶିବସେନା(ଏକନାଥ ସିନ୍ଦେ) ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରକୁ ସମର୍ଥନ କରିଛନ୍ତି। ପୁତୁରାଙ୍କ ଏପରି ଆଭିମୁଖ୍ୟରେ ଶରଦ ପାୱାର ସଂପୂର୍ଣ୍ଣ ଭାବେ ନିରାଶ ହୋଇଛନ୍ତି।

ସେ ଏନସିପିକୁ ପୁଣି ସଜାଡ଼ିବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସର ସଂସଦୀୟ ପାର୍ଟି(ସିପିପି)ର ଅଧ୍ୟକ୍ଷ ସୋନିଆ ଗାନ୍ଧି ଫୋନ ଯୋଗେ ତାଙ୍କ ସହ କଥା ହୋଇଛନ୍ତି। ସୋନିଆ ଓ ଶରଦ ପାୱାର ବେଶ କିଛି ସମୟ ଧରି ରାଜ୍ୟ ରାଜନୀତିର ସ୍ଥିତାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସୋନିଆ ମଧ୍ୟ ଏନସିପିରେ ଦେଖାଯାଇଥିବା ସଙ୍କଟ ସମୟରେ ଶରଦ ପାୱାରଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି।

କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କହିଛନ୍ତି, “ସିପିପି ଅଧ୍ୟକ୍ଷ ସୋନିଆ ଗାନ୍ଧି ଫୋନ ଯୋଗେ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି। ସେ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଶରଦ ପାୱାରଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ମଧ୍ୟ ଶରଦ ପାୱାରଙ୍କ ସହ କଥା ହୋଇଥିଲେ।”

ରବିବାର ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି। ସେ ସରକାରଙ୍କୁ ସମର୍ଥନ ଘୋଷଣା କରିବା ମାତ୍ରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳି ଯାଇଛି। ଶରଦ ପାୱାରଙ୍କ ଏନସିପି ଏବେ ବି କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ସହ ରହିଥିବା ବେଳେ କିଛି ବିଧାୟକଙ୍କୁ ନେଇ ଅଜିତ ପାୱାରଙ୍କ ବିଦ୍ରୋହ ସମସ୍ତଙ୍କୁ ଚକିତ କରିଛି।

Comments are closed.