ସରକାରଙ୍କ ଉପରେ ବର୍ଷିଲେ ସୋନିଆ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦେଶବାସୀଙ୍କୁ ଶଭେଚ୍ଛା ଜଣାଇଛନ୍ତି। ଏହାପରେ ସରକାରଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ। କଡା ଭାଷାରେ ସେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ୍‌। ଏଥିସହ ସେ କେନ୍ଦ୍ର ସରକାରଙ୍କୁ ଆତ୍ମମୁଗ୍ଧ ସରକାର ବୋଲି କହି ନାନା ଅଭିଯୋଗ ବଖାଣିଛନ୍ତି।

ଏକ ବୟାନ ଜାରି କରି ସୋନିଆ କହିଛନ୍ତି, ରାଜନୈତିକ ପଚାର ଓ ପ୍ରାପ୍ତି ପାଇଁ ଗାନ୍ଧୀ-ନେହେରୁ-ପଟେଲ୍‌-ଆଜାଦ୍‌ଙ୍କ ପ୍ରତି କରାଯାଉଥିବା ମିଥ୍ୟା ଆଧରିତ ଅପମାନକୁ କଂଗ୍ରେସ ସହ୍ୟ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ଦେଇଥିବା ଆତ୍ମବଳିକୁ କେନ୍ଦ୍ର ସରକାର ତୁଚ୍ଛ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି। ଐତିହାସିକ ତଥ୍ୟାବଳିକୁ ମିଥ୍ୟା ପ୍ରମାଣିତ କରି ଗାନ୍ଧୀ-ନେହେରୁ-ପଟେଲ୍‌-ଆଜାଦ୍‌ ଆଦି ନେତାଙ୍କୁ ଅପମାନ କରିବା ଲାଗି ଆତ୍ମ-ମୁଗ୍ଧ ସରକାର କରୁଥିବା ସମସ୍ତ ଉଦ୍ୟମକୁ କଂଗ୍ରେସ ବିରୋଧ କରିବ।

ସେ ଆହୁରି କହିଛନ୍ତି, ‘ଭାରତ ବିଗତ ୭୫ ବର୍ଷ ହେଲା ନିଜ ପ୍ରତିଭାଶାଳୀ ଭାରତବାସୀଙ୍କ କଡା ପରିଶ୍ରମ ବଳରେ ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୂଚନା ପ୍ରଯୁକ୍ତିବିଦ୍ୟା ସମେତ ସମସ୍ତ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି। ଗଣତନ୍ତ୍ର ଏବଂ ସାମ୍ବିଧାନିକ ଅନୁଷ୍ଠାନକୁ ମଜବୁତ କରୁଥିବାବେଳେ ଭାରତ ଏହାର ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କ ନେତୃତ୍ୱରେ ଏକ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥା ପ୍ରତିଷ୍ଠା କରିଥିଲା। ସୁଦୃଢ଼ ଗଣତନ୍ତ୍ର ଏବଂ ସାମ୍ବିଧାନିକ ପ୍ରତିଷ୍ଠାନ ନିମନ୍ତେ ମଧ୍ୟ ସେମାନେ ବନ୍ଦୋବସ୍ତ କରିଥିଲେ। ବିବିଧ ସଂସ୍କୃତି ଏବଂ ଭାଷା ଜରିଆରେ ଭାରତ ଏକ ଅଗ୍ରଣୀ ଦେଶ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।’

Comments are closed.