ବିଜେପି ବିରୋଧରେ ଏମିତି ଅଭିଯୋଗ ଆଣିଲେ ସିସୋଦିଆ

ନୂଆଦିଲ୍ଲୀ: ନୂଆ ଅବକାରୀ ନୀତିକୁ ନେଇ ଅଡ଼ୁଆରେ ପଡ଼ିଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ବଡ଼ ଦାବି କରିଛନ୍ତି। ସିବିଆଇ ତାଙ୍କ ଘରେ ରେଡ୍‌ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାର ଖୋଳତାଡ଼ କରିବାକୁ ଅଣ୍ଟା ଭିଡ଼ିଛି। ଏସବୁ ଭିତରେ ସିସୋଦିଆଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ବିଜେପି ତାଙ୍କୁ କିଛି ପ୍ରସ୍ତାବ ଦେଇଥିବା ସେ ଦାବି କରିଛନ୍ତି।

ସେ ଯଦି ଆପ୍‌ ଛାଡ଼ି ଦେବେ ଓ ବିଜେପିରେ ମିଶିବେ, ତା’ହେଲେ ତାଙ୍କ ନାଁରେ ସିବିଆଇ ଓ ଇଡି କରିଥିବା ମାମଲା ସବୁ ଉଠିଯିବ ବୋଲି ପ୍ରସ୍ତାବ ମିଳିଥିବା ସିସୋଦିଆ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, “ ମୋ ପାଖକୁ ବିଜେପିର ମେସେଜ ଆସିଛି। ଆପକୁ ଭାଙ୍ଗି ଯଦି ମୁଁ ବିଜେପି ମିଶିଯିବ, ତା’ହେଲେ ସେମାନେ ସିବିଆଇ-ଇଡି କେସ୍‌ ସବୁ ବନ୍ଦ କରିଦେବେ ବୋଲି ମୋ ଆଗରେ ସର୍ତ୍ତ ରଖିଛନ୍ତି। ହେଲେ ବିଜେପିକୁ କହିବାକୁ ଚାହୁଁଛି ଯେ ମୁଁ ମହାରାଣା ପ୍ରତାପଙ୍କ ବଂଶଜ। ମୁଁ ରାଜପୁତ। ମୁଣ୍ଡ କଟି ଯାଉ ପଛେ, କିନ୍ତୁ ଷଡ଼ଯନ୍ତ୍ରକାରୀ ଓ ଦୁର୍ନୀତିଖୋରଙ୍କ ଆଗରେ କେବେ ବି ମୁଁ ମୁଣ୍ଡ ନୁଆଁବି ନାହିଁ। ମୋ ନାଁରେ ରୁଜୁ ସବୁ ମାମଲା ମିଛ। ଯାହା କରିବାର ଅଛି କର।”

ଦିଲ୍ଲୀରେ ଲାଗୁ ହୋଇ ପ୍ରତ୍ୟାହାର ହୋଇଥିବା ନୂଆ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବଳରେ ସିବିଆଇ ମାମଲା କରିବା ସହ ସିସୋଦିଆ ଓ ଅନ୍ୟ କିଛି ଅଧିକାରୀଙ୍କ ଘରେ ପ୍ରାୟ ୧୫ ଘଣ୍ଟା ଧରି ରେଡ୍‌ କରିଥିଲା। ରେଡ୍‌ରୁ କ’ଣ ମିଳିଲା ସେକଥା ଜଣାପଡ଼ିନି। କିନ୍ତୁ ସିବିଆଇ ପରେ ଏବେ ଇଡି ମଧ୍ୟ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ନେଇ ବିଜେପି ଓ ଆପ୍‌ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି।

Comments are closed.