ବାଂଲାଦେଶ ଫେରିବେ ଶେଖ୍ ହସିନା
ବ୍ୟାପକ ହିଂସା ପରେ ବାଂଲାଦେଶ ଛାଡ଼ି ପଳାଇ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶକୁ ଫେରିବେ। ବର୍ତ୍ତମାନର ଅନ୍ତରୀଣ ସରକାର ଯେବେ ନିର୍ବାଚନ ପାଇଁ ନିଷ୍ପତ୍ତି ନେବେ, ସେତେବେଳେ ଶେଖ୍ ହସିନା ଦେଶକୁ ଫେରିବେ ବୋଲି ତାଙ୍କ ପୁଅ ସାଜିବ ୱାଜିଦ ଜୟ କହିଛନ୍ତି।
ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା। ଏହା ପରେ ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଛି। ଖୁବ୍ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ହୋଇଛି।
ଏହାରି ମଧ୍ୟରେ ଆମେରିକାରେ ଥିବା ହସିନାଙ୍କ ପୁଅ ସାଜିବ ୱାଜିଦ ଜୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ ସେ(ହସିନା) ଭାରତରେ ଅଛନ୍ତି। ମଧ୍ୟବର୍ତ୍ତୀକାଳନ ସରକାର ନିର୍ବାଚନ ନେଇ ନିଷ୍ପତ୍ତି ନେବା ମାତ୍ରେ ସେ ବାଂଲାଦେଶ ଫେରିଯିବେ।”
ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଗତ ଦୁଇ ମାସ ହେବ ହିଂସା ଲାଗି ରହିଥିଲା। ଏଥିରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାରି ମଧ୍ୟରେ ଅଗଷ୍ଟ ୫ରେ ଶେଖ୍ ହସିନାଙ୍କ ସରକାରୀ ବାସଭବନକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ। ସ୍ଥିତି ଅଣାୟତ୍ତ ହେବାରୁ ସେ ପଦରୁ ଇସ୍ତଫା ଦେଇ ଭାରତ ଚାଲି ଆସିଥିଲେ।
Comments are closed.