ରିମାଣ୍ଡରେ ଗଲେ ସଞ୍ଜୟ ସିଂହ

ଦିଲ୍ଲୀରୁ ପ୍ରତ୍ୟାହାର ହୋଇସାରିଥିବା ଅବକାରୀର ନୀତିରେ ହୋଇଥିବା ତଥାକଥିତ ଦୁର୍ନୀତି ଘଟଣାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ବୁଧବାର ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି। ଏହି ୫ ଦିନ କାଳ ଇଡି ସଞ୍ଜୟ ସିଂହଙ୍କୁ ଜେରା କରିବା ସହ ତଥାକଥିତ ମଦ ନୀତି ଦୁର୍ନୀତି ଘଟଣାରେ ଅଧିକ ତଥ୍ୟ ହାସଲ କରିବ।

ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିରୁ ଜଣେ ବ୍ୟବସାୟୀ ୩ କୋଟି ଟଙ୍କା ସଞ୍ଜୟ ସିଂହଙ୍କୁ ଦେଇଥିବା ଆଜି ଇଡି ତାଙ୍କୁ ରିମାଣ୍ଡରେ ନେବେ ବେଳେ କୋର୍ଟଙ୍କୁ ଅବଗତ କରାଇଛି। ଇଡି କହିଛି ଯେ ଦିଲ୍ଲୀ ବ୍ୟବସାୟୀ ଦୀନେଶ ଅରୋରା ପ୍ରଥମ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଅଭିଯୁକ୍ତ ଥିଲେ। ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏବେ ସେ ରାଜସାକ୍ଷୀ ପାଲଟି ଯାଇଛନ୍ତି। ତାଙ୍କ ବୟାନ ଆଧାରରେ ଇଡି ତଦନ୍ତ କରିବା ସହ ସଞ୍ଜୟ ସିଂହ ଦୁର୍ନୀତି ୩ କୋଟି ଟଙ୍କା ପାଇଥିବା କୋର୍ଟଙ୍କୁ ଅବଗତ କରାଇଛି।

ଇଡି କୋର୍ଟଙ୍କୁ ଆହୁରି କହିଛି ଯେ “ରେଡ୍‌ ବେଳେ ସଞ୍ଜୟ ସିଂହଙ୍କ ଘରୁ ଦୁର୍ନୀତି ସହ ଜଡ଼ିତ କିଛି ଡିଜିଟାଲ ପ୍ରମାଣ ମିଳିଛି। ଏଗୁଡ଼ିକ ସତ୍ୟାସତ୍ୟ ଜାଣିବା ପାଇଁ ସଞ୍ଜୟ ସିଂହଙ୍କୁ ହେପାଜତକୁ ନେଇ ଜେରା କରିବାର ଆବଶ୍ୟକତା ରହିଛି। ଦୀନେଶ ଅରୋରାଙ୍କ ଠାରୁ ସଞ୍ଜୟ ସିଂହ ୩ କୋଟି ଟଙ୍କା ନେଇଥିଲେ। ଅରୋରାଙ୍କ ଜଣେ କର୍ମଚାରୀ ସରବେଶ ତାଙ୍କୁ ଏହି ଟଙ୍କା ଦେଇଥିଲେ। ତେଣୁ ଅପରାଧ ସହ ସଞ୍ଜୟ ସିଂହ ସିଧାସଳଖ ଲିଙ୍କ ରହିଛି।”

Comments are closed.