ସଞ୍ଜୟଙ୍କ ପରିବାରକୁ ଭେଟି କଣ କହିଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ନିଜ ହେପାଜନକୁ ନେବା ପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇ ପଡ଼ିଛନ୍ତି ଉଦ୍ଧବ ଠାକରେ।
ଏହି ଘଟଣାରେ ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କ ଶାସନକୁ ଜର୍ମାନର ଏକଛତ୍ରବାଦୀ ଶାସକ ହିଟଲରଙ୍କ ଶାସନ ସହ ତୁଳନା କରି କହିଛନ୍ତ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ଯେପରି ଗୋଟିଏ ସମୟରେ ଜିତିଥିବା ପରି ମନେ ହେଉଥିଲା ଏବଂ ଜଣେ କାର୍ଟୁନିଷ୍ଟ ତାଙ୍କୁ ବିଜୟୀ ବୋଲି କହି ଚାଲିଥିଲେ; କିନ୍ତୁ ପ୍ରକୃତରେ ହିଟଲର ତାଙ୍କୁ ମରିଯିବାକୁ ଚାହୁଁଥିଲେ! ଏବେ ଠିକ୍‌ ସେଇ ପ୍ରକାରର ଘଟଣା ହିଁ ଘଟୁଛି ବୋଲି ଶ୍ରୀ ଠାକରେ କହିଛନ୍ତି। ସେ କହିଛନ୍ତି ଯେ ଯଦି ଆପଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପରେ ବିଶ୍ୱାସ କରୁଛନ୍ତି ତେବେ ଆମର ଆଜି ଗଣତନ୍ତ୍ର କେଉଁଠାରେ ଅଛି? ତାହା ଜାଣିବାକୁ ବିଶେଷ ଅସୁବିଧା ହେବ ନାହିଁ।

ତେବେ, ସଞ୍ଜୟ ରାଉତଙ୍କର ଏକମାତ୍ର ଅପରାଧ ହେଉଛି, ସେ ବିଜେପି ଦଳର ଧମକ ରାଜନୀତି ଦ୍ୱାରା ସେ ଭୟଭୀତ ହୋଇ ନାହାନ୍ତି। ସେ ଜଣେ ବିଶ୍ୱାସୀ ଏବଂ ସାହସୀ ବ୍ୟକ୍ତି। ଆମେ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ। କାରଣ, ସିଏ କୌଣସି ଚାପରେ ପଡ଼ିନାହାନ୍ତି କିମ୍ବା ଭୟଭୀତ ମଧ୍ୟ ହୋଇ ନାହାନ୍ତି ବୋଲି କହିବା ସହ ସଞ୍ଜୟଙ୍କୁ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ‘ହାର୍ଡକୋର’ ଶିବ ସୈନିକ ବୋଲି କହିଛନ୍ତି।

ସଞ୍ଜୟ ରାଉତଙ୍କ ଗିରଫଦାରୀ ପରେ ତାଙ୍କ ପରିବାରକୁ ଭେଟି ଉଦ୍ଧବ କହିଛନ୍ତି, ସଞ୍ଜୟଙ୍କ ପାଇଁ ମୁଁ ଆଜି ଗର୍ବିତ। ତାଙ୍କୁ ଜଣେ ନିର୍ଭୀକ ସାମ୍ବାଦିକ, ସଚ୍ଚା ଓ କଠୋର ଶିବ ସୈନିକ ଏବଂ ସହସୀ ରାଜନେତା ବୋଲି ଦର୍ଶାଇବା ସହ ଉଦ୍ଧବ କହିଛନ୍ତି, ଚର୍ଚ୍ଚିତ ଚଳଚ୍ଚିତ୍ର ‘ପୁଷ୍ପା’ରେ ଏକ ସଂଳାପ ଅଛି- ‘ଝୁକେଗା ନେହି’ ଯାହାକି ସଞ୍ଜୟଙ୍କ ପାଇଁ ସର୍ବାଦୌ ପ୍ରଯୁଜ୍ୟ। କାରଣ, ଯିଏ ପ୍ରକୃତ ଶିବ ସୈନିକ ସିିଏ ବଙ୍କା ହେବ ନାହିଁ। ଏହିପରି ଜଣେ ସଚ୍ଚା, କଟ୍ଟର ଓ ଗର୍ବିତ ଶିବ ସୈନିକ ହେଉଛନ୍ତି ସଞ୍ଜୟ ରାଉତ। କାରଣ, ଶିବସେନାର ପ୍ରତିଷ୍ଠାତା ବାଲାସାହେବଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେଉଛନ୍ତି ସଞ୍ଜୟ ରାଉତ।

Comments are closed.